କଟକ: ଦେଶବ୍ୟାପୀ କୋରୋନା ମାରାତ୍ମକ ହେଉଛି । ସିଲଭର ସିଟିକୁ ଡରାଇଲାଣି କୋରୋନା । କଟକ ଏକ ଘରୋଇ ଶିକ୍ଷାନୁଷ୍ଠାନରେ 25 ଜଣ ଛାତ୍ରଛାତ୍ରୀ ଏବେ କୋଭିଡ ପଜିଟିଭ । ପ୍ରଥମେ 12 ଚିହ୍ନଟ ହୋଇଥିବା ବେଳେ ପୁଣି 13 ଜଣ ଆକ୍ରାନ୍ତ ହୋଇଛି ।
ବୁଧବାର ପ୍ରଥମେ 12 ଜଣ ଛାତ୍ରଛାତ୍ରୀ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହା ପରେ ଟେଷ୍ଟିଂ, ଟ୍ରାକିଂ ଜରିଆରେ ଅନ୍ୟ 71 ଛାତ୍ରଛାତ୍ରୀଙ୍କ କୋରୋନା ପରୀକ୍ଷା କରାଯାଇଥିଲା । ଫଳରେ 13 ଜଣ ପଜିଟିଭ ଥିବା ରିପୋର୍ଟ ଆସିଛି । ସମସ୍ତେ ଗୋଟିଏ ହଷ୍ଟେଲର ଅନ୍ତେବାସୀ । ସେପଟେ କୋଭିଡ ସଂକ୍ରମଣ ବଢିବା ପରେ କଲେଜକୁ 10 ଦିନ ବନ୍ଦ କରିଛି ସିଏମସି ।
ସୂଚନାଯୋଗ୍ୟ, ଅନ୍ୟ ଜିଲ୍ଲାରୁ ଜଣେ ଛାତ୍ର ସଂକ୍ରମିତ ହୋଇଥିଲେ । ଅନ୍ୟ ଛାତ୍ରମାନେ ସଂକ୍ରମିତ ଛାତ୍ରଙ୍କ ସଂସ୍ପର୍ଶରେ ଆସିବାରୁ ସମସ୍ତେ କୋରୋନା ଆକ୍ରାନ୍ତ ହୋଇଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ