କଟକ: ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ରୋଗୀମାନଙ୍କର PET-CT ସ୍କାନ ସହ ରାଜ୍ୟର ଅନ୍ୟ ସରକାରୀ ଚିକିତ୍ସାଳୟରେ ଏହି ଟେଷ୍ଟ କି କି ବ୍ୟବସ୍ଥା କରାଯାଇଛି । ସେ ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି।
ଫେବ୍ରୁଆରୀ ୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଥିଲା ବେଳେ ସେଦିନ ଏହି ସତ୍ୟପାଠ ଦାଖଲ କରିବେ। ସେହିପରି ବୁଧବାର ଅପରାହ୍ନ ୪ଟା ସୁଦ୍ଧା ଆବେଦନକାରିଣୀଙ୍କର ଏହି ଚିକିତ୍ସା ଘରୋଇ ଚିକିତ୍ସାଳୟରେ କରାଇବା ସହ ତାହା କରାଯାଇଛି ବୋଲି ଆସନ୍ତା ଶୁଣାଣି ସମୟରେ କୋର୍ଟରେ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର (ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ ଅଫ୍ କ୍ୟାନସର)ରେ PET-CT ସ୍କାନ୍ ମେସିନ୍ ନାହିଁ। ଫଳରେ କର୍କଟ ରୋଗୀମାନେ ବାହାରେ ଘରୋଇ ହସ୍ପିଟାଲ ଓ ପ୍ରତିଷ୍ଠାନରେ ଅଧିକ ଖର୍ଚ୍ଚାନ୍ତ ହୋଇ ପେଟ ସିଟି ସ୍କାନ କରାଉଛନ୍ତି।
ଏଭଳି ଅଭିଯୋଗ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରାଯାଇଥିଲା। ହାଇକୋର୍ଟରେ ଅନିତା ବୁଦ୍ଧିଆଙ୍କ ପକ୍ଷରୁ ଏନେଇ ଜନସ୍ବାର୍ଥ ଆବେଦନ ଦାୟର କରାଯାଇଥିଲା। ଆବେଦନରେ ଦର୍ଶାଯାଇଥିଲା ଯେ ଅନିତା ନିଜେ ଜଣେ କର୍କଟ ରୋଗୀ ହୋଇଥିବା ବେଳେ ଗତ ବର୍ଷ ତାଙ୍କର ରୋଗ ଚିହ୍ନଟ ହୋଇଥିଲା।
ରାଜ୍ୟ ବାହାରେ ଚିକିତ୍ସିତ ହେବା ପରେ ସେ ନିଜ ସହର କଟକରେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ଯାଇଥିଲେ। କିନ୍ତୁ ଏଠାରେ PET-CT ସ୍କାନ ନଥିବାରୁ ଘରୋଇ ପ୍ରତିଷ୍ଠାନରେ ଏହି ପରୀକ୍ଷା ତାଙ୍କୁ କରିବାକୁ ପଡିଥିଲା। ଗତ ବର୍ଷ ଚାରିଥର ସେ PET-CT ସ୍କାନ କରିଥିବା ବେଳେ ଏଥି ପାଇଁ ଲକ୍ଷାଧିକ ଟଙ୍କା ତାଙ୍କୁ ଦେବାକୁ ପଡିଥିଲା।
ପ୍ରତିଦିନ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ୫00ରୁ ଅଧିକ ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ ପ୍ରାୟ ୨୫ରୁ ଅଧିକ ଜଣଙ୍କ PET-CT ସ୍କାନ ପାଇଁ ପରାମର୍ଶ ଦିଆଯାଉଛି। ଶରୀର ଯେଉଁ ସ୍ଥାନରେ କର୍କଟ ରୋଗ ଚିହ୍ନଟ ହୋଇଥାଏ ତା ବାଦ ଅନ୍ୟ ସ୍ଥାନକୁ ଏହି ରୋଗ ବ୍ୟାପିଛି କି ନାହିଁ ସେ ନେଇ PET-CT ସ୍କାନରୁ ଜଣା ପଡୁଥିବା ବେଳେ ଅଧିକାଂଶ ରୋଗୀଙ୍କୁ ନିୟମିତ ଭାବେ ଏହି ପରୀକ୍ଷା କରିବାକୁ ପଡିଥାଏ।
ରୋଗୀମାନଙ୍କୁ ଏହି ପରୀକ୍ଷା ପାଇଁ ଘରୋଇ ପ୍ରତିଷ୍ଠାନରେ ପ୍ରାୟ ୨୩ ହଜାର ଟଙ୍କା ଦେବାକୁ ପଡିବ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ ସହିତ କଟକ ସହର ଓ ଉପକଣ୍ଠରେ ଥିବା ଏକ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ପେଟ୍ ସିଟି ସ୍କାନ ରହିଛି। ରୋଗୀଙ୍କୁ ଖର୍ଚ୍ଚାନ୍ତ ହୋଇ ଏହି ସବୁ ଘରୋଇ ପ୍ରତିଷ୍ଠାନରେ PET-CT ସ୍କାନ୍ କରିବାକୁ ପଡୁଛି।
ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ପୂର୍ବ ଭାରତର ପ୍ରମୁଖ କର୍କଟ ଚିକିତ୍ସା କେନ୍ଦ୍ର ହୋଇଥିବା ବେଳେ ସବୁ ଜିଲ୍ଲାରୁ ଓ ରାଜ୍ୟ ବାହାରୁ ରୋଗୀ ଏଠାକୁ ଆସୁଛନ୍ତି। ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ବିଗତ ବର୍ଷ ଗୁଡିକରେ ଏହି କର୍କଟ ଚିକିତ୍ସା କେନ୍ଦ୍ରରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଇଛି। ଭିତ୍ତିଭୂମିର ବିକାଶ ପାଇଁ ସରକାର ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଚିକିତ୍ସା ପାଇଁ ଅଧୁନିକ ଯନ୍ତ୍ରପାତି କିଣା ଯାଉଛି।
କିନ୍ତୁ କେଉଁ ପରିସ୍ଥିତିରେ PET-CT ସ୍କାନ ଭଳି ଜରୁରୀ ମେସିନ କିଣାଯାଉନି ତାହାକୁ ନେଇ ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି। ଗରିବ କର୍କଟ ରୋଗୀ ବାହାରେ ଖର୍ଚ୍ଚାନ୍ତ ହୋଇ PET-CT ସ୍କାନ କରିବା ସମ୍ଭବ ହେଉ ନଥିବା ବେଳେ ସେମାନଙ୍କ ମୃତ୍ୟୁ ହେବା ନିଶ୍ଚିନ୍ତ।
ଘରୋଇ ହସ୍ପିଟାଲ ଗୁଡିକୁ ସୁହାଇବାକୁ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ PET-CT ସ୍କାନ ମେସିନ୍ ବସା ଯାଉନାହିଁ। ଏଥି ସହିତ ଇନଡୋର୍ ଓ ଆଉଟଡୋର୍ ରୋଗୀଙ୍କୁ ମାଗଣା ଔଷଧ ପ୍ରଦାନ ପାଇଁ ସରକାର ନିରାମୟ କେନ୍ଦ୍ର ଖୋଲା ଯାଇଛି। କିନ୍ତୁ ଅନେକ ସମୟରେ ନିରାମୟରେ ଆବଶ୍ୟକ ଔଷଧ ମିଳୁନାହିଁ।
ମୂଲ୍ୟବାନ ଓ ଗୁରୁତ୍ବପୂର୍ଣ୍ଣ ଔଷଧ ନିରାମୟରେ ନ ମିଳିବାରୁ ସାଧାରଣ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିରାମୟ ଯେଉଁ ଉଦ୍ଦେଶ୍ୟ ରଖି ଖୋଲା ଯାଇଥିଲା ତାହା ପୂରଣ ହୋଇ ପାରୁନାହିଁ। ଏଭଳି ସ୍ଥିତିରେ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ରରେ PET-CT ସ୍କାନ୍ ସହିତ ଏମଆରଆଇ ଓ ସିଟି ସ୍କାନ ଭଳି ମେସିନ୍ ବ୍ୟବସ୍ଥା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ କୋର୍ଟଙ୍କୁ ପାର୍ଥନା କରିଥିଲେ।
ନିରାମୟରେ ୨୪ ଘଣ୍ଟା ସବୁ ପ୍ରକାରର ଔଷଧ ଯେପରି ମିଳିବ ତାହା ସୁନିଶ୍ଚିତ କରାଯାଉ ବୋଲି ଆବେଦନକାରୀ କୋର୍ଟଙ୍କୁ ପାର୍ଥନା କରିଥିଲେ। ସ୍ବାସ୍ଥ୍ୟ ସଚିବ, ଡିଏମଇଟି ଓ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ର ନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ