କଟକ: କଟକ ସହର ଯେତେ ପୁରୁଣା ଏଠାକାର ପରମ୍ପାରା ଓ ସଂସ୍କୃତି ମଧ୍ୟ ସେତିକି ପୁରୁଣା । କଟକ ଦଶହରା ପର୍ବର ରହିଛି ଖାସ ସ୍ବତନ୍ତ୍ରତା । କାଳକ୍ରମେ ଏବେ ପୂଜା ମଣ୍ଡପର ସଂଖ୍ୟା ୧୫୦ରୁ ଊର୍ଦ୍ଧ ଟପିଲାଣି । ମାତ୍ର ଏମିତି କିଛି ପୂଜା ମଣ୍ଡପ ରହିଛି, ଯିଏ ନିଜର ପୌରାଣିକ ଓ ପରମ୍ପରାରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିବାରେ ସକ୍ଷମ ହୋଇଛି । ଏ ଭଳି ଏକ ପୂଜା ମଣ୍ଡପ ହେଉଛି କଟକର ସର୍ପାଦୁର୍ଗା ପୂଜା ମଣ୍ଡପ । ଏହି ମଣ୍ଡପ ଆଜିକୁ ୨୬୮ ବର୍ଷ ପୁରି ସାରିଲାଣି । ମାତ୍ର ଏଠାକାର ପରମ୍ପରା ଓ ପୂଜା ରିତିନୀତିରେ ସବୁ ପୂଜା ମଣ୍ଡପ ତୁଳନାରେ ଭିନ୍ନ । ୧୭୫୨ ମସିହାରେ ଏଠାରେ ଦୁର୍ଗାପୂଜା ଆରମ୍ଭ ହୋଇଥିଲା । ତତ୍କାଳୀନ ଜମିଦାର ସ୍ବରୁପ ଚନ୍ଦ୍ର ଦାସ କୋଲକାତାରୁ ଆସି ଏଠାରେ ପୂଜା ଆରମ୍ଭ କରିଥିଲେ । ଏଠାରେ ମା'ଙ୍କୁ ଘରୋଇ ରୂପରେ ପୂଜା କରାଯାଇଥାଏ । ଆଉ ସବୁଠାରୁ ଖାସ କଥା ହେଉଛି ଏଠାରେ ପୁରୁଷ ପୁରୁଷ ଧରି ମୃର୍ତ୍ତି କାରିଗର, ପୂଜକ ଓ ପୂଜା ପରିଚାଳନା ନିଜ ବଂଶଧର ମାନେ ହିଁ କରି ଆସୁଛନ୍ତି ।
ପରବର୍ତ୍ତୀ ସମୟରେ ଅର୍ଥାତ ୧୯୫୦ ମସିହା ବେଳକୁ ୭ ସାହି ଏକାଠି ହୋଇ ମା' ଙ୍କ ସାର୍ବଜନୀନ ଦୁର୍ଗା ପୂଜା ଆରମ୍ଭ କରିଥିଲେ । ପ୍ରତିବର୍ଷ ଏହି ପୂଜା ମଣ୍ଡପରେ କିଛି ନାଁ କିଛି ନୂତନତ୍ବ ଦେଖିବାକୁ ମିଳେ । ପ୍ରଥମେ ଜରି ମେଢରେ ଏହି ପୂଜା ମଣ୍ଡପ ଶୋଭା ପାଉଥିଲା । ଏବେ ଏଠାରେ ରୂପା ମେଢ ପ୍ରସ୍ତୁତ ହୋଇସାରିଛି । ସେହିପରି ମା' ଙ୍କ ଲାଗି ରୂପା ଓ ସୁନା ଆଦି ଗହଣା ମଧ୍ୟ ପ୍ରସ୍ତୁତ କରାଯାଇଛି । ଅଧିକାଶଂ ପୂଜା ମଣ୍ଡପରେ ଦୁର୍ଗାଙ୍କୁ ମା’ ରୂପରେ ପୂଜା କରାଯାଉଥିବାବେଳେ ଏଠାରେ ମା'ଙ୍କୁ ଝିଅ ରୂପରେ ପୂଜା କରାଯାଏ । ଦଶମୀ ତିଥିରେ ସିନ୍ଦୁର ଖେଳରେ ମା’ ଦୁର୍ଗାଙ୍କୁ ଝିଅ ରୂପରେ ବିଦାୟ ଦିଆଯାଇଥାଏ ।
ଚଳିତବର୍ଷ କୋରୋନା ପାଇଁ ଭଷାଣି ଶୋଭାଯାତ୍ରା ଉପରେ କଟକଣା ଲାଗୁ କରାଯାଇଥିବା ବେଳେ ସରପାଦୁର୍ଗା ମଣ୍ଡପ ଉପରେ କୌଣସି ପ୍ରଭାବ ପଡିଵ ନାହିଁ । କାରଣ କୌଣସି ବର୍ଷ ଏହି ମଣ୍ଡପ ଶୋଭାଯାତ୍ରାରେ ସାମିଲ ହୁଏ ନାହିଁ । ଦଶମୀ ଦିନରେ ହିଁ ଅତି ନିରାଡମ୍ବର ମା'ଙ୍କୁ ମେଲାଣୀ ଦିଆଯାଇଥାଏ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ