କଟକ: ପ୍ୟାରୀମୋହନ ଏକାଡେମୀରେ ବ୍ୟାପକ ଅନିୟମିତତା ଅଭିଯୋଗ ସଂପର୍କତ ଜନସ୍ବାର୍ଥ ମାମଲାର ହାଇକୋର୍ଟ ଶୁଣାଣି କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଜବାବ ତଲବ କରିଛନ୍ତି । ସ୍କୁୁଲ ପାଣ୍ଠି ସଂପର୍କିତ ଅଡିଟ ରିପୋର୍ଟ ଆଧାରରେ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେନେଇ ସତ୍ୟପାଠ ମାଧ୍ୟମରେ ଅବଗତ କରିବାକୁ ହାଇକୋର୍ଟ କହିଛନ୍ତି । ଏଥି ସହିତ ଜନସ୍ବାର୍ଥ ଆବେଦନରେ ଉଲ୍ଲେଖ କରାଯାଇଥିବା ଅପରାଧିକ ମାମଲା ଓ ଶିକ୍ଷକଙ୍କ ସଂକ୍ରାନ୍ତରେ ଅଭିଭାବକଙ୍କ ତଦନ୍ତ ଅନୁରୋଧ ପ୍ରସଙ୍ଗ ନେଇ ଜବାବରେ ସ୍ପଷ୍ଟ କରିବାକୁ ହାଇକୋର୍ଟ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଅରୁଣ କୁମାର ସେଠୀଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ରାଜ୍ୟର ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ପ୍ୟାରୀମୋହନ ଏକାଡେମିରେ ବ୍ୟାପକ ଅନିୟମିତତା ଓ ଅବ୍ୟବସ୍ଥା ଅଭିଯୋଗ କରି ଏହି ଜନସ୍ବାର୍ଥ ମାମଲା ୨୦୨୦ରେ ଦାଏର ହୋଇଥିଲା ।
ଆବେଦନରେ ଦର୍ଶାଯାଇଥିଲା ଯେ ସ୍କୁଲ ଜମିରେ ନିର୍ମାଣ କରାଯାଇଥିବା ଦୋକାନ ଘରୁ ଆଦାୟ କରାଯାଉଥିବା ଭଡା ବାବଦ ଅର୍ଥ ଠିକ୍ ଭାବେ ଅନୁଷ୍ଠାନ ଆକାଉଣ୍ଟରେ ଜମା କରାଯାଉ ନାହିଁ । ପ୍ରଧାନଶିକ୍ଷକ ଏ ସଂକ୍ରାନ୍ତୀୟ ଅଡିଟ ରିପୋର୍ଟ ତଥ୍ୟ ସୂଚନା ଅଧିକାର ଆଇନରେ ମାଗିଲେ ଦେଉ ନାହାନ୍ତି । ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଆବେଦନକାରୀ ଅଭିଯୋଗ କରିଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ