ଭୁବନେଶ୍ବର: ସକାଳୁ ସକାଳୁ ରାଜଧାନୀରେ ଚାଞ୍ଚଲ୍ୟ । ମାଷ୍ଟର କ୍ୟାଣ୍ଟିନ ବସଷ୍ଟାଣ୍ଡରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ । ଏନେଇ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ମୃତଦେହକୁ ଉଦ୍ଧାର କରିଛି । ତେବେ ମୃତକ ଜଣଙ୍କ କିଏ ସେନେଇ କିଛି ସୂଚନା ମିଳିପାରିନଥିବା ବେଳେ ଯୁବକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଏଠାରେ ଏମିତି ଝୁଲାଇ ଦେଇଛି ତାହା ସବୁଠାରୁ ବଡ ପ୍ରଶ୍ନ ।
ତେବେ ଦିନକୁ ଦିନ ରାଜଧାନୀରେ ଅପରାଧ ଓ ଅପରାଧିଙ୍କ ସଂଖ୍ୟା ବଢୁଥିବା ବେଳେ ପୋଲିସ ପାଇଁ ଏବେ ଏହା ଏକ ଚ୍ୟାଲେଞ୍ଜ ପାଲଟିଛି । କିଛି ଦିନ ତଳେ ମାଷ୍ଟର କ୍ୟାଣ୍ଟିନରେ ଦୋକାନକୁ ୨ ଗୋଷ୍ଠୀ ମଧ୍ୟରେ ହୋଇଥିଲା ତୁମୁଳକାଣ୍ଡ । ୧୦ରୁ ୧୫ଜଣ ଯୁବକ ଖଣ୍ଡା, ଶାବଳ ଓ ଲୁହା ପାଇପ ଓ ଭୁଜାଲି ଧରି ଆସିଥିଲେ ଏବଂ ଗୋଡେଇ ଗୋଡେଇ ୩ରୁ ୪ ଜଣ ଯୁବକଙ୍କୁ ହାଣିଥିଲେ । ଯାହାକୁ ଦେଖି ସ୍ଥାନୀୟ ରେଳ ଯାତ୍ରୀଠୁ ଆରମ୍ଭ କରି ମୋ ବସ ଡ୍ରାଇଭର ଓ ବସରେ ବସିଥିବା ଯାତ୍ରୀ ମଧ୍ୟ ଭୟଭୀତ ହୋଇଯାଇଥିଲେ।
ସ୍ଥାନୀୟ ଲୋକେ ଦୋକାନ ବନ୍ଦ କରି ଧାଇଁବାକୁ ଲାଗିଥିଲେ । ପରେ ପୋଲିସ ପହଞ୍ଚି ଆହତ ୪ଜଣ ଯୁବକକଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା ।
ଭୁବନେଶ୍ବରରୁ ମନୋରଞ୍ଜନ ସଙ୍ଖୁଆ, ଇଟିଭି ଭାରତ