ଭୁବନେଶ୍ବର: ରାତି ପାହିଲେ ଅତୀତ ପାଲଟିବ 2021 । ନୂଆ ଆଶା ଓ ସମ୍ଭାବନା ସହ ଆରମ୍ଭ ହେବ ନୂଆବର୍ଷ । ତେବେ 2021 ବର୍ଷଟି ମନୋରଞ୍ଜନ ଜଗତ ପାଇଁ ବେଶ୍ ଘଟଣାବହୁଳ ଥିଲା । କୋରୋନା କୋପ ମଧ୍ୟରେ ବାଦବିବାଦରେ ଘେରି ହୋଇଥିଲା ଓଲିଉଡ୍ ଇଣ୍ଡଷ୍ଟ୍ରୀ । କଳାକାରଙ୍କ ହାତ ବାନ୍ଧିଥିଲା କଟକଣା । ଫିଲ୍ମ ହଲଗୁଡିକରେ ଝୁଲିଥିଲା ତାଲା । ରାସ୍ତା ଉପରେ ଗର୍ଜିଥିଲେ କଳାକାର ଏବଂ ପେଟ ପାଇଁ ଫଳ ବିକିଥିଲେ ଯାତ୍ରା ଅଭିନେତ୍ରୀ । ଏସବୁ ଭିତରେ ମଧ୍ୟ ଓଲିଉଡର ପିଛା ଛାଡି ନଥିଲା ବିବାଦ । 2021ରେ ଓଡିଆ ଚଳଚ୍ଚିତ୍ର ଜଗତର ସବୁଠୁ ଚର୍ଚ୍ଚିତ ବିବାଦୀୟ ଘଟଣା ରହିଥିଲା ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର । ଜାଣନ୍ତୁ କଣ ଥିଲା ପୁରା ଘଟଣା...
ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ବିବାଦ
ନଭେମ୍ବର 5 ତାରିଖରେ 2019-20 ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିଥିଲେ ରାଜ୍ୟ ସରକାର । 27ଟି ବର୍ଗରେ ପୁରସ୍କାର ଘୋଷଣା କରାଯାଇଥିଲା । ହେଲେ ପୁରସ୍କାର ଚୟନରେ ପାତର ଅନ୍ତର ହୋଇଥିବା ଅଭିଯୋଗ ଉଠିଥିଲା । ମୌଳିକ କାହାଣୀକୁ ଅଣଦେଖା କରି କପି ଫିଲ୍ମକୁ ପୁରସ୍କାର ଦିଆଯାଇଥିବା କୁହାଯାଇଥିଲା । ଉଭୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏବଂ ଟେଲି ଫିଲ୍ମ ଆସୋସିଏସନ ତୀବ୍ର ଅସନ୍ତୋଷ ଜାହିର କରିଥିଲେ । 'କାଲିର ଅତୀତ'କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ଦିଆଯାଇଥିବାବେଳେ 'ଶଲା ବୁଢାର ବଦଲା'କୁ ଯଥେଷ୍ଟ ସମ୍ମାନ ଦିଆଯାଇନଥିବା ଅଭିଯୋଗ କରିଥିଲେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚ୍ଚୀ ମହାପାତ୍ର । ଫିଲ୍ମ ପ୍ରଯୋଜକ ବବି ଇସଲାମ୍ ବହୁଚର୍ଚ୍ଚିତ ଛବିରାଣୀ ଗଣଦୁଷ୍କର୍ମକୁ ନେଇ ନିର୍ମିତ ଫିଲ୍ମକୁ କାହିଁକି ପୁରସ୍କାର ପାଇଁ ଚୟନ କରାଗଲା ନାହିଁ ବୋଲି ପ୍ରଶ୍ନ କରିଥିଲେ । ଏପରିକି ବବି ଓ ଅଭିନେତା ମିଟୁ ମିଥୁନ ନବୀନ ନିବାସ ଆଗରେ ଆତ୍ମହୁତି ଉଦ୍ୟମ କରିଥିଲେ ।
କେବଳ ଏତିକି ନୁହେଁ, ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଚୟନ ପ୍ରକ୍ରିୟାକୁ ତ୍ରୁଟିପୂର୍ଣ୍ଣ ଦର୍ଶାଯାଇ ହାଇକୋର୍ଟରେ ମାମଲା ଦାୟର କରିଥିଲେ ହୋଇଥିଲା ବବି ଇସଲାମ । ମାମଲାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ, ନିର୍ଦ୍ଦେଶକ, ଜୁରୀ କମିଟି ଅଧ୍ୟକ୍ଷ ସୁରେନ୍ଦ୍ର ସାହୁ, ସଦସ୍ୟ ପ୍ରଣବ କିଶୋର ପଟ୍ଟନାୟକ, ତ୍ରିପୁରା ମିଶ୍ର, ଜିତେନ୍ଦ୍ର ମିଶ୍ର, ଆଦିକନ୍ଦ ରାଉତ, ଗୌର ପଟ୍ଟନାୟକଙ୍କୁ ପକ୍ଷଭୁକ୍ତ କରାଯାଇଥିଲା । ଓଡ଼ିଆ ସିନେମା "ଛବିରାଣୀ’ର ଟିମ ପକ୍ଷରୁ ଦାୟର ହୋଇଥିବା ଏହି ମାମଲାରେ ଉଭୟ ପକ୍ଷଙ୍କୁ ଶୁଣିବା ପରେ କୋର୍ଟ ୨୦୧୯ ବର୍ଷ ପାଇଁ ଘୋଷଣା ହୋଇଥିବା ରାଜ୍ୟ ଚଳଚିତ୍ର ପୁରସ୍କାର ବିତରଣୀ ଉତ୍ସବ ଉପରେ ରୋକ୍ ଲଗାଇଥିଲେ ।
ସେହିପରି ସଂସ୍କୃତି ବିଭାଗ ସହ ଓଡିଶା ଟେଲି ଆକ୍ଟର୍ସ ଆସୋସିଏସନର(ଓଟା) ଆଲୋଚନା ପରେ ଟେଲି ପୁରସ୍କାର ବିବାଦର ଅନ୍ତ ଘଟିଥିଲା । ପୁରସ୍କାର ବର୍ଗରେ ଶ୍ରେଷ୍ଠ ସ୍କ୍ରିନ ପ୍ଲେ ଆୱାର୍ଡ ପାଇଁ ମନୋନୀତ ହୋଇଥିବା 'ନିମ୍କି' ଚଳଚ୍ଚିତ୍ରକୁ ପୁରସ୍କାର ତାଲିକାରୁ ବାଦ୍ ଦିଆଯାଇଥିଲା । 'ନିମ୍କି' ସମ୍ପୂର୍ଣ୍ଣ ଭାବେ ବ୍ୟବସାୟିକ ଚଳଚ୍ଚିତ୍ର ହୋଇଥିବାରୁ ଏବଂ ହଲରେ ରିଲିଜ ହୋଇଥିବା ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଥିଲା । ଅନ୍ୟପଟେ କ୍ରମଶଃ ସଂକ୍ରମଣ ହ୍ରାସ ଭିତରେ ରାଜଧାନୀରେ ସିନେମା ହଲ୍ କଟକଣା ଭିତରେ ଖୋଲିଥିଲା । ହେଲେ ଯାତ୍ରା କଳାକାର ଏବଂ ଅପେରାକୁ ନାଟକ ମଞ୍ଚସ୍ଥ କରିବା ପାଇଁ ଅନୁମତି ମିଳିନଥିଲା । ଯାହାକୁ ନେଇ ଯାତ୍ରା କଳାକାର ମହଲରେ ତୀବ୍ର ପ୍ରତିବାଦ କରାଯିବ ସହ ସରକାରଙ୍କୁ ସମାଲୋଚନା କରାଯାଇଥିଲା ।
ବବି ମିଶ୍ର-ତପି ମିଶ୍ର ଫାଇଟ:
2021ରେ ରିଲ୍ ଭିଲିଆନଙ୍କ ରିୟଲ ଫାଇଟ ଦେଖିବାକୁ ମିଳିଥିଲା । ଅଗଷ୍ଟ 28 ତାରିଖରେ ଚର୍ଚ୍ଚାକୁ ଆସିଥିଲା ଅଭିନେତା ବବି ମିଶ୍ର ଏବଂ ତପି ମିଶ୍ରଙ୍କ ଲଢେଇ । ବବି ଗାଡି ପାର୍କିଂକୁ ନେଇ ନିଶାସକ୍ତ ଅବସ୍ଥାରେ ପଡୋଶୀଙ୍କୁ ତପି ମିଶ୍ରଙ୍କୁ ମାଡ ମାରିବା ସହ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଥିଲା । ଭୁବନେଶ୍ବର ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ ତପି ମିଶ୍ର । ଅଭିଯୋଗ ଆଧାରରେ ଆଇପିସିର ଧାରା ୩୪୧, ୨୯୪, ୩୨୩, ୫୦୬ରେ ବବିଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ସେପଟେ ଏଭଳି ଅଭିଯୋଗ କରି ପଡୋଶୀ ତପି ମିଶ୍ର ହାଇଲାଇଟ୍ ହେବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଥିଲେ ବବି ମିଶ୍ର ।
2021ରେ ମାର୍କେଟରେ ଧୁମ୍ ମଚାଇଥିଲା ମାନି ଆଇ ଲଭ ୟୁ । ଯାହାକୁ ଗାଇଥିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସୁରଙ୍କ ଦ୍ବାରା କଣ୍ଠଦାନ କରାଯାଇଥିବା ଏହି ଗୀତ ଖୁବ୍ ଲୋକପ୍ରିୟତା ହାସଲ କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ