ବଲାଙ୍ଗୀର: ଆଜି ବିଶ୍ବ ଏଡ଼୍ସ ଦିବସ । ତେବେ ଏହି ମାରାତ୍ମକ ରୋଗ ଏଚ.ଆଇ.ଭି ଏଡ଼୍ସ ସଂକ୍ରମଣରେ ବଲାଙ୍ଗୀର ଜିଲ୍ଲା ସାରା ଦେଶରେ କେଟାଗୋରୀ ‘ଏ’ରେ ପରିଗଣିତ ହୋଇ ଆସୁଥିଲା । ବିଶେଷ କରି ଦାଦନ ଖଟି ଯାଉଥିବା ଶ୍ରମିକ ମାନଙ୍କ ମଧ୍ୟରେ ଏହାର ସଂଖ୍ୟା ସର୍ବାଧିକ ରହିଆସିଛି । ଯେଉଁଥିରେ ଟିଟିଲାଗଡ ଓ ପାଟଣାଗଡ଼ ଅଞ୍ଚଳରେ ସର୍ବାଧିକ ସଂକ୍ରମିତ ରହିଛନ୍ତି ।
ତେବେ ସରକାରୀ ତଥ୍ୟ ଅନୁସାରେ 2013ରୁ ବଲାଙ୍ଗୀର ଜିଲ୍ଲାରେ 2020 ପର୍ଯ୍ୟନ୍ତ ମୋଟ 1572 ଜଣ ଏଚଆଇଭି ସଂକ୍ରମିତ ଅଛନ୍ତି । ଯେଉଁଥରେ 753 ଜଣ ପୁରୁଷ ଥିବାବେଳେ 281 ଜଣ ମହିଳା ଓ 93 ଜଣ ଶିଶୁ ରହିଛନ୍ତି । ଏଯାଏଁ ଜିଲ୍ଲାରେ ମୋଟ 262 ଜଣଙ୍କର ଏଥିରେ ମୃତ୍ୟୁ ହୋଇସାରିଲାଣି । ତେବେ ସରକାର ଓ ସ୍ବାସ୍ଥ୍ୟ ବିଭାଗର ଉଦ୍ୟମରେ ଏହି ପରିସ୍ଥିତି ଏବେ ସୁଧୁରିବାରେ ଲାଗିଛି । ଚଳିତ ବର୍ଷ ମାତ୍ର 118 ଜଣ ଏଚଆଇଭି ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ମାତ୍ର 3 ଜଣଙ୍କର ଏଥିରେ ମୃତ୍ୟୁ ହୋଇଥିବାର ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ତେବେ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ