କୋଜିକୋଟ୍(କେରଳ): ଚଳିତ ହିରୋ ସିନିୟର ମହିଳା ନ୍ୟାସନାଲ ଚାମ୍ପିଅନ୍ସିପ ୨୦୨୧-୨୨ର ସେମିଫାଇନାଲରେ ହାରିଲା ଓଡିଶା । ମଙ୍ଗଳବାର କୋଜିକୋଟ୍ର EMS କର୍ପୋରେସନ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ପେନାଲିଟି ସୁଟ୍ଆଉଟ୍ରେ (penalty shoot out) ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ପରାଜିତ ହୋଇଛି ଟିମ ଓଡିଶା । ଫଳରେ ଡିସେମ୍ବର ୯ରେ ଖେଳାଯିବାକୁ ଥିବା ଫାଇନାଲ ମୁକାବିଲାରେ ରେଲୱେକୁ ଭେଟିବ ମଣୀପୁର ।
ଏହାମଧ୍ୟ ପଢନ୍ତୁ: SA vs IND: ଦକ୍ଷିଣ ଆଫ୍ରିକା ଟେଷ୍ଟ ସ୍କ୍ବାଡ୍ରେ ଡିକକ୍, ରବାଡା ଓ ନର୍କିଆ
ମ୍ୟାଚ୍ର ପ୍ରଥମାର୍ଦ୍ଧରେ ଓଡିଶା ଖେଳାଳି ପ୍ରଭାବୀ ପ୍ରଦର୍ଶନ କରିବା ସହ ୧୧ତମ ମିନିଟ୍ରେ ୧-୦ରେ ଆଗୁଆ ହୋଇଥିଲା । ପରେ ମଣୀପୁରର କିରଣବାଳା ଚାନୁ ଏକ ଚମତ୍କାର ଗୋଲ୍ କରିବା ସହ ସ୍କୋର ବରାବର କରିଥିଲେ । ତେବେ ଉଭୟ ଟିମ ମଧ୍ୟରେ ମ୍ୟାଚ୍ କଡା ସଂଘର୍ଷପୂର୍ଣ୍ଣ ହୋଇଥିଲା । ଫଳରେ ୧-୧ ଗୋଲ୍ରେ ମ୍ୟାଚ୍ ଶେଷ ହୋଇଥିଲା ଓ ଅତିରିକ୍ତ ସମୟ ମାଧ୍ୟମରେ ଫଳାଫଳ ନିର୍ଣ୍ଣୟ ପାଇଁ ସ୍ଥିର ହୋଇଥିଲା । ମାତ୍ର ୧୨୦ ମିନିଟ୍ରେ ମଧ୍ୟ କୌଣସି ଟିମ ଗୋଲ୍ କରିବାକୁ ସକ୍ଷମ ନ ହେବାରୁ ପେନାଲିଟି ସୁଟ୍ଆଉଟ୍ରେ ଫଳାଫଳ ନିର୍ଣ୍ଣୟ ହୋଇଥିଲା ।
ମଣୀପୁର ପକ୍ଷରୁ ବେବିସାନା ଦେବୀ, ରୋଜା ଦେବୀ ଓ ସୁଲତାନା ଏମଏସ ଗୋଲ୍ ସ୍କୋର କରିଥିଲେ ମାତ୍ର ଓଡିଶା ପକ୍ଷରୁ ଜଶୋଦା ମୁଣ୍ଡା, ଶୁଭଦ୍ରା ସାହୁ, ସୁମନ ପ୍ରଜ୍ଞାନ ମହାପାତ୍ର ବିଫଳ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ