ଭୁବନେଶ୍ବର: ବୁଧବାରଠାରୁ ଆରମ୍ଭ ହେଉଛି ବିଧାନସଭା ଅଧିବେଶନ। ଏଥିପାଇଁ ତ୍ରିସ୍ତରୀୟ ଢାଞ୍ଚା ଗ୍ରହଣ କରାଯିବା ସହ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଡିଜିପି ବି କେ. ଶର୍ମା । ଏହାସହ ୩ଟି କଣ୍ଟ୍ରୋଲ ରୁମ, ନର୍ଥ ଗେଟ୍ ଧାରଣାସ୍ଥଳ ଓ ୟୁନିଫାଏଡ୍ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି।
ବିଧାନସଭାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପାଇଁ ଆବଶ୍ୟକୀୟ ପ୍ଲାଟୁନ୍ ଫୋର୍ସ ଓ ୯୦ ଅଫିସର ଦାୟିତ୍ବରେ ରହିଛନ୍ତି । ଭିଡହିଂସା ଓ ସମ୍ଭାବ୍ୟ ବଡ ଧରଣର ଆକ୍ରମଣକୁ ମୁକାବିଲା କରିବା ପାଇଁ ୨ ୟୁନିଟ୍ ସ୍ପେଶାଲ ଟାକ୍ଟିକାଲ ୟୁନିଟ୍ ସହ ଷ୍ଟ୍ରାଇକିଂ ଫୋର୍ସ, କ୍ୟୁଆରଟି ଟିମ୍ ମୁତୟନ ରହିବେ। ଏହା ସହିତ ରୁଫ୍ ଟପ୍ ସିକ୍ୟୁରିଟି ବ୍ୟବସ୍ଥା ଓ ସାଧା ପୋଷାକରେ ପୋଲିସ ରହିବେ।
ସୁରକ୍ଷା ବ୍ୟବସ୍ଥାରେ କୌଣସି ଭୁଲ ଯେପରି ନହୁଏ, ସେଥିପାଇଁ ପୋଲିସ ପକ୍ଷରୁ କଡା ସୁରକ୍ଷା ଗ୍ରହଣ କରାଯାଇଛି। ଖୋଦ ପୋଲିସ ଡିଜି ନିଜେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି।
ବିଧାନସଭା ଭିତର, ପରିସର ଓ ପିଏମଜି ସମ୍ପୂର୍ଣ୍ଣ ସ୍ଥାନକୁ ସିଲ୍ କରାଯିବ। ପ୍ରାୟ ଏକ ମାସ ଧରି ଚାଲିବାକୁ ଥିବା ଏହି ଅଧିବେଶନରେ ବିଭିନ୍ନ ବିଭାଗର ପ୍ରସ୍ତାବ ଉପରେ ଆଲୋଚନା ହେବ ବୋଲି ଆଶା କରାଯାଉଛି । ଚଳିତ ଅଧିବେଶନ ସମ୍ଭବତଃ ଅନେକ ସରକାରୀ ବେସରକାରୀ କର୍ମଚାରୀଙ୍କ ଉପରେ ନଜର ରହିଛି।
ସେଥିପାଇଁ ବିଭିନ୍ନ ସଂଗଠନ, ଦଳ, ସରକାରୀ ହେଉବା ବେସରକାରୀ ସମସ୍ତେ ନିଜ ନିଜ ଦାବି ପାଇଁ ଭୁବନେଶ୍ବର ପିଏମଜିରେ ଏକଜୁଟ ହୋଇପାରନ୍ତି । ଅନେକ ସମୟରେ ଆନ୍ଦୋଳନକାରୀ ହିଂସ୍ର ହେବା ସମ୍ଭାବନା ଥିବାରୁ ସେମାନଙ୍କୁ ଆୟତ କରିବା ପ୍ରଥମେ ପୋଲିସ ପ୍ରସ୍ତୁତ ଥିବା କହିଛନ୍ତି ।
ଏହାସହ ସୁରକ୍ଷା ଲାଗି ପ୍ଳାଟୁନ, ବଛା ବଛା ଅଫିସର, କ୍ୟୁଆରଟି, ରୁଫଟପ ସିକ୍ୟୁରିଟି, ସାଧାପୋଷାକଧାରୀ ପୋଲିସ, ଡଗ ସ୍କାଡ ମୁତୟନ ହେବେ। ବିଧାନସଭା ସୁରକ୍ଷା ଲାଗି ପୋଲିସ ଡିଜିପି, ପୋଲିସ କମିଶନର, ଗୁଇନ୍ଦା ନିର୍ଦ୍ଦଶେକ ଓ ଭୁବନେଶ୍ବର ଡିସିପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ