ଭୁବନେଶ୍ବର: କେବଳ ପୁରୀ ଜଗନ୍ନାଥ ମନ୍ଦିରର ସେବାୟତଙ୍କୁ କାହିଁକି ସବୁ ମନ୍ଦିର ସେବାୟତଙ୍କୁ ସରକାର ସହାୟତା ଦିଅନ୍ତୁ । ସମସ୍ତଙ୍କୁ 5 ହଜାର ଟଙ୍କା ଦିଆଯାଉ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । କେବଳ ଷଡଙ୍ଗୀ ନୁହେଁ ଏହି ଦାବିରେ ସ୍ବର ଉଠାଇଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ।

ଶ୍ରୀମନ୍ଦିର ସେବାୟତଙ୍କ ବ୍ୟତିତ ଲିଙ୍ଗରାଜ ମନ୍ଦିର, ବିରଜା ମନ୍ଦିର, ସାକ୍ଷୀଗୋପଳ, କ୍ଷୀରଚୋରା ମନ୍ଦିର, ତାରିଣୀ ମନ୍ଦିର ସେବାୟତଙ୍କୁ ବି ଆର୍ଥିକ ସହାୟତା ଦେବାକୁ ସେ ଚିଠିରେ ଲେଖିଛନ୍ତି। ସେହିପରି ମୋକିମ କହିଛନ୍ତି ଯେ, ‘‘ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ଧର୍ମାନୁଷ୍ଠାନ ମାନଙ୍କରେ ସମୂହ ପ୍ରାର୍ଥନା ସମ୍ପୂର୍ଣ୍ଣ ଭାବରେ ବାରଣ କରାଯାଇଛି । ଭକ୍ତଙ୍କ ପ୍ରବେଶ ବନ୍ଦ ହୋଇଯିବାରୁ ମନ୍ଦିର, ମସଜିଦ, ଗୀର୍ଜାଘର ଓ ଗୁରୁଦ୍ୱାର ଆଦି ଗୁଡିକରେ ଧର୍ମଗୁରୁ ଏବଂ ସେବକମାନେ ଅତ୍ୟନ୍ତ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି । ଏଣୁ ପୁରୀ ସେବାୟତଙ୍କ ଭଳି ରାଜ୍ୟର ଅନ୍ୟ ମଠ, ମନ୍ଦିର, ମସଜିଦ, ଗୀର୍ଜାଘର ଏବଂ ଗୁରୁଦ୍ୱାର ଗୁଡିକରେ ମଧ୍ୟ ପୂଜକ, ସେବକ ଓ ଧର୍ମଗୁରୁଙ୍କୁ ବି ସହାୟତା ଦିଆଯାଉ ।’’
କୋରୋନା କଟକଣା ପାଇଁ ଧାର୍ମିକ ସ୍ଥଳର ପୂଜକ, ସେବକ ନାହିଁ ନଥିବା ଆର୍ଥିକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେଣୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ସହାୟତା ଅର୍ଥରାଶି ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ମୋକିମ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ