ଭୁବନେଶ୍ବର: ମ୍ୟାଲେରିଆ ନିୟନ୍ତ୍ରଣରେ ଓଡ଼ିଶାର ସଫଳତା । ଓଡ଼ିଶାରେ କିପରି ମ୍ୟାଲେରିଆ ନିୟନ୍ତ୍ରଣ ହୋଇଛି ତାହା ଦେଖିବାକୁ ଆସିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଟିମ୍ । ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଏହି ଟିମ୍ । ରାଜ୍ୟରେ କିପରି ଭାବେ ମ୍ୟାଲେରିଆ ସଂକ୍ରମଣ ହାର ନିୟନ୍ତ୍ରଣକୁ ଆସିପାରିଛି ସେଦିଗରେ ଅନୁଧ୍ୟାନ କରିବ ଟିମ୍ ।
2016 ମସିହାରେ ରାଜ୍ୟରେ ସାଢ଼େ ଚାରି ଲକ୍ଷ ମ୍ୟାଲେରିଆ ସଂକ୍ରମଣ ମାମଲା ଦେଖିବାକୁ ମିଳିଥିଲା । ଗତ ବର୍ଷ ଏହି ସଂଖ୍ୟା 25 ହଜାରକୁ ହ୍ରାସ ପାଇଛି । ତେଣୁ ଓଡ଼ିଶା କିଭଳି ଏଭଳି ସଫଳତା ପାଇଛି, ଏହାକୁ ଅନୁକରଣ କରି ମ୍ୟାଲେରିଆ ପ୍ରବଣ ଅଞ୍ଚଳରେ କିଭଳି ସଂକ୍ରମଣ ହାର ନିୟନ୍ତ୍ରଣ କରାଯାଇପାରିବ, ତାହା ଦେଖିବାକୁ WHO ଟିମ ଓଡ଼ିଶା ପହଞ୍ଚିଛି । ସେମାନେ ଆଜି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସହ ପ୍ରାରମ୍ଭିକ ଆଲୋଚନା କରିବା ପରେ ଫିଲ୍ଡ ପରିଦର୍ଶନରେ ଯାଇଛନ୍ତି । ଫିଲ୍ଡ ପରିଦର୍ଶନ ବେଳେ ଏହି ଟିମ ମ୍ୟାଲେରିଆ ରୋଗୀ ଚିହ୍ନଟ ପରେ କିପରି ଚିକିତ୍ସା କରାଯାଉଛି ସେନେଇ ସମୀକ୍ଷା କରିବେ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର