ଭୁବନେଶ୍ବର: ଆସନ୍ତା ୨୩ ତାରିଖରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ,୨୫ ଓ ୨୬ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ତାରିଖ ସୋମବାର ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ବର,ଭଦ୍ରକ, ଯାଜପୁର, କଟକ, ମୟୂରଭଞ୍ଜ, ଢେଙ୍କାନାଳ, କେନ୍ଦୁଝର, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ନେଇ ୟେଲୋ ୱାର୍ନିଙ୍ଗ ଜାରି କରିଛି । ୨୪ ତାରିଖ ରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୫,୨୬ ତାରିଖରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ଗତ ୨୪ ଘଣ୍ଟା ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଥିବା ବେଳେ ଉପକୂଳ ଓଡିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । କେନ୍ଦୁଝର ଜିଲ୍ଲା ତେଲକୋଇ ରେ ସର୍ବାଧିକ ୧୧୯.୨ମିମି ବର୍ଷା ରେକର୍ଡ କରାଯାଇଛି।ସେହିପରି ଅନୁଗୁଳ ଜିଲ୍ଲା ପଲଲହଡ଼ା ରେ ୫୩.୦ ମିମି ବର୍ଷା ରେକର୍ଡ କରାଯାଇଛି।
୨୫ ତାରିଖରୁ ୨୭ ତାରିଖ ମଧ୍ୟରେ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ବାରଣ କରାଯାଇଛି । ଜୁନ ପହିଲାରୁ ଅଗଷ୍ଟ ୨୨ ପର୍ଯ୍ୟନ୍ତ ଋତୁ କାଳୀନ ବର୍ଷା ୮୨୨.୬ ମିମି ବର୍ଷା ରେକର୍ଡ ହୋଇଛି, ଯାହା ସ୍ବାଭାବିକ ବର୍ଷା ୮୩୬.୨ମିମି ,୨ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ