ଭୁବନେଶ୍ବର: କରୋନା ଭୁତାଣୁ (କୋଭିଡ୍-୧୯)କୁ ପ୍ରତିହତ କରିବା ନିମନ୍ତେ ସମଗ୍ର ଦେଶ ସମେତ ରାଜ୍ୟରେ ଲକଡାଉନ ଜାରି କରାଯାଇଛି । ତେବେ ଏହି ସମୟରେ ଚାଷୀମାନେ ଯେପରି ଉଦ୍ୟାନ ଭିତ୍ତିକ ଫସଲ ଯଥା ଫଳ, ପନିପରିବା, ଫୁଲ, ମସଲା ଆଦି ସୁବିଧାରେ ବିକ୍ରି କରିପାରିବେ ସେଥିପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ ନୂତନ ୱେବସାଇଟ ଲୋକାର୍ପଣ କରାଯାଇଛି ।
ମଙ୍ଗଳବାର ଅପରାହ୍ନରେ କୃଷି ଭବନଠାରେ ଏହି ୱେବସାଇଟ odihortmarketing.nic.in କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଲୋକର୍ପିତ କରିଥିଲେ । ଫଳ, ପନିପରିବା ଆଦିର ଗୁଣାତ୍ମକ ମାନ ଶୀଘ୍ର ନଷ୍ଟ ହୋଇଯାଉଥିବାରୁ ଏହାର ଉପଯୁକ୍ତ ବିକ୍ରିବଟା ଦିଗରେ ଏହି ୱେବସାଇଟ ସହାୟକ ହେବ ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ଏହା ଦ୍ବାରା ଚାଷୀମାନେ ନିଜ ଉତ୍ପାଦିତ ଦ୍ରବ୍ୟକୁ ଉଚିତ ମୂଲ୍ୟରେ ବିକ୍ରି କରି ପାରିବେ ।
କରୋନା ସଂକ୍ରମଣ ଭଳି ଏକ ଅସ୍ବାଭାବିକ ପରିସ୍ଥିତିର ମୁକାବିଲା କରି ଓଡ଼ିଶାର ଫଳ ଓ ପନିପରିବା ଆଦି ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟ ବିକ୍ରି ଏବଂ ଖାଉଟିମାନଙ୍କୁ ଠିକଣା ସମୟରେ କୃଷିଜାତ ଦ୍ରବ୍ୟ ଯୋଗାଇଦେବା ନିମନ୍ତେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ କଠିନ ପରିଶ୍ରମ କରିବା ପାଇଁ ମନ୍ତ୍ରୀ ଡ.ସାହୁ ପରାମର୍ଶ ଦେଇଥିଲେ । ଏହି ୱେବସାଇଟ ଫଳ ଓ ପନିପରିବା ବିକ୍ରି ଦିଗରେ ଏକ ପ୍ରକୃଷ୍ଟ ମଞ୍ଚ ସାବ୍ୟସ୍ତ ହୋଇପାରିବ ବୋଲି ମନ୍ତ୍ରୀ ଡ.ସାହୁ ଆଶା ପ୍ରକାଶ କରିଛନ୍ତି । ଏହି ୱେବସାଇଟ ମାଧ୍ୟମରେ ଓଡ଼ିଶାର ୩୦ଟି ଜିଲ୍ଲାର ଉଦ୍ୟାନକୃଷି ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ସେମାନଙ୍କ ଜିଲ୍ଲାରେ ବିକ୍ରି ଯୋଗ୍ୟ ଉତ୍ପାଦିତ ଦ୍ରବ୍ୟକୁ ଦର୍ଶାଇବେ । ଯାହାକି ସମ୍ପୃକ୍ତ ବ୍ୟବସାୟୀମାନଙ୍କ ଅବଗତି ପାଇଁ ଉପଲବ୍ଧ ହେବ ।
ବ୍ୟବସାୟୀମାନେ କେଉଁଠାରେ କେତେ ପରିମାଣର ଫଳ ପନିପରିବା ଆଦି ଉପଲବ୍ଧ ହେଉଛି ସେ ବିଷୟରେ ଜାଣିପାରିବେ । ଏହାଦ୍ବାରା ସେମାନେ ଜିଲ୍ଲାସ୍ତରର ଉଦ୍ୟାନ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରି ସିଧାସଳଖ ଚାଷୀମାନଙ୍କ ଠାରୁ ଉତ୍ପାଦିତ ଦ୍ରବ୍ୟର ବିକ୍ରିବଟା କରି ପାରିବେ । ଅଧିକାରୀମାନଙ୍କୁ ପ୍ରତ୍ୟେକ ଦିନ ଏହି ୱେବସାଇଟରେ ଉପଲବ୍ଧ ଫଳ ଓ ପନିପରିବା ତଥ୍ୟ ଅପଲୋଡ଼ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ