ବ୍ରହ୍ମପୁର/ଭୁବନେଶ୍ବର: କେବଳ ରାଜ୍ୟ ନୁହେଁ ବରଂ ଦେଶର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ଗଞ୍ଜାମ ଜିଲ୍ଲାର ମାଆ ତାରାତାରିଣୀଙ୍କ ମନ୍ଦିରରୁ ବଡଧରଣର ଲୁଟ୍ । ଗତକାଲି (ମଙ୍ଗଳବାର) ରାତିରେ ମନ୍ଦିରରେ ପଶି ରୂପା ମୁଖା ସହ ଏକାଧିକ ମୁକୁଟ ଓ ବିଭିନ୍ନ ମୂଲ୍ୟବାନ ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏଥିରେ ଏକାଧିକ ଦୁର୍ବୃତ୍ତଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି । ଆଜି ସକାଳେ ଏନେଇ ଜଣାପଡିବା ପରେ ସେବାୟତ ଓ ମନ୍ଦିର ପରିଚାଳନା କମିଟିର ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ମା’ତାରାତାରିଣୀ ମନ୍ଦିରରୁ ଚୋରି ଘଟଣାରେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ଗଠନ କରିଛନ୍ତି ତଥ୍ୟ ଅନୁସନ୍ଧାନକାରୀ ଦଳ ।
- ଲୁଟିନେଲେ ମୁକୁଟ, ମୁଖା, ରୂପା ଛତା ଓ ଅନ୍ୟାନ୍ୟ ଅଳଙ୍କାର
ଅଭିଯୋଗ ଅନୁସାରେ, ମନ୍ଦିରରେ ବ୍ୟବହାର ହେଉଥିବା ଦୁଇଟି ମୁଖା ସହିତ ଗୋଟିଏ ରୂପାର ଛତା, ତିନୋଟି ମୁକୁଟ, ପୂଜା ଓ ବିଭିନ୍ନ ନୀତିକାନ୍ତିରେ ବ୍ୟବହୃତ ହେଉଥିବା ଏକାଧିକ ଦୁର୍ମୂଲ୍ୟ ଅଳଙ୍କାର ଚୋରି ହୋଇଛି । କେବଳ ଅଳଙ୍କାର ନୁହେଁ ବରଂ ଦୁର୍ବୃତ୍ତମାନେ ମନ୍ଦିର ପରିସରରେ ରହିଥିବା ହୁଣ୍ଡି (ଦାନପାତ୍ର) ଭାଙ୍ଗି ନେଇଯିବା ପାଇଁ ଉଦ୍ୟମ ମଧ୍ୟ କରିଛନ୍ତି । ହୁଣ୍ଡିର ପ୍ରଥମ ତାଲାକୁ ଭାଙ୍ଗି ଦେଇଥିବା ବେଳେ ଭିତର ତାଲାକୁ ଭାଙ୍ଗି ନପାରି ଛାଡି ପଳାଇଛନ୍ତି ଦୁର୍ବୃତ୍ତ । ଏନେଇ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ବରିଷ୍ଠ ଆଇନଜୀବୀ ତିରୁମାଲା କୁମାର ରେଡ୍ଡୀ ସୂଚନା ଦେଇଛନ୍ତି ।
- ନଥିଲା CCTV:-
ମା’ଙ୍କ ମନ୍ଦିରରେ ଗତ କିଛି ମାସ ହେବ କିଛି ଉନ୍ନତିକରଣ କାର୍ଯ୍ୟ ଚାଲିଥିଲା । ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ହିଁ ସିସିଟିଭି CCTV ଲଗାଯିବା ପାଇଁ ସ୍ଥିର ହୋଇଥିଲା । ଏପରିକି ଗତ ୨୧ ତାରିଖରେ ଏସମ୍ପର୍କରେ ମନ୍ଦିର କମିଟି ବୈଠକରେ ଆଲୋଚନା ମଧ୍ୟ କରାଯାଇଥିଲା । ହେଲେ ସିସିଟିଭି ସଂଯୋଗ ନଥିବାର ସୁଯୋଗ ନେଇ ଦୁର୍ବୁତ୍ତମାନେ ଏପରି କାଣ୍ଡ ଭିଆଇବାକୁ ପଛଘୁଞ୍ଚା ଦେଇନାହାନ୍ତି ।
- ରାତିରେ ନୀତି ଶେଷ ପରେ ପଡିଥିଲା ପହଡ
ପ୍ରତିଦିନ ଭଳି ଗତକାଲି ରାତିରେ ମଧ୍ୟ ମା’ଙ୍କର ନିର୍ଦ୍ଧାରିତ ନୀତି ଶେଷ କରାଯାଇ ପହଡ ପଡିଥିଲା । ଆଜି ସକାଳେ ମନ୍ଦିରର ପୂଜକ ପହଡ ଖୋଲିବା ପରେ ଏଭଳି ଦୃଶ୍ୟ ଦେଖିଥିଲେ । ପରେ ମନ୍ଦିର ପରିସରରୁ ଏହି ସବୁ ସାମଗ୍ରୀ ଚୋରି ହୋଇଥିବା ଜଣାପଡିଥିଲା । ମନ୍ଦିରର ପରିଚାଳନା କମିଟି ସଦସ୍ୟ ଓ ସେବାୟତମାନେ ପହଞ୍ଚି ଚୋରି ସାମଗ୍ରୀର ଅନୁଧ୍ୟାନ କରିବା ପରେ ପୋଲିସକୁ ସୂଚନା ଦେଇଥିଲେ । ସ୍ଥାନୀୟ ପୁରୁଷୋତ୍ତମପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ମା’ତାରାତାରିଣୀ ମନ୍ଦିରରୁ ଚୋରିକୁ ନେଇ ତେଜିଛି ରାଜନୀତି । ଓଡ଼ିଆ ଅସ୍ମିତା କଥା କହି କ୍ଷମତାକୁ ଆସିଥିବା ବିଜେପି ସରକାରରେ ମନ୍ଦିରର ସୁରକ୍ଷା ବିପନ୍ନ ହୋଇଥିବା ବିଜେଡି ଅଭିଯୋଗ କରିଛି । ସେପଟେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଗଠନ କରିଛନ୍ତି ତଥ୍ୟ ଅନୁସନ୍ଧାନକାରୀ ଦଳ ।
ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, "ଗତକାଲି ମା' ତାରା ତାରିଣୀ ପୀଠରେ ଚୋରି ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଏହା 500 ବର୍ଷ ତଳର ମନ୍ଦିର । ହିନ୍ଦୁଙ୍କ ଆସ୍ଥା ଓ ବିଶ୍ୱାସର ମନ୍ଦିର । ନବୀନ ପଟ୍ଟନାୟକ ସରକାର ଯେଉଁ ଐତିହ୍ୟ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହୋଇଥିଲା, ସେଥିରେ ଏହି ମନ୍ଦିର ପ୍ରଥମ ଥିଲା । ଯେଉଁ ହିନ୍ଦୁ କଥା କହିଛନ୍ତି ବିଜେପି ସରକାର, ସେମାନେ ହିନ୍ଦୁଙ୍କ ଆରାଧ୍ୟଙ୍କୁ ସୁରକ୍ଷା ଦେଇ ପାରି ନାହାନ୍ତି । ବିଜେପି ସରକାର ଧର୍ମ ରକ୍ଷାର ମିଥ୍ୟା କଥା ପଦାରେ ପଡିଛି । ବିଜେପି ସରକାର ମନ୍ଦିର ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଓଡିଶାରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଘଟଣାରେ ବିଜେଡି ଘୋର ନିନ୍ଦା କରୁଛି ।"
ସେ ଆହୁରି ମଧ୍ୟ କହିଛନ୍ତି, "ଐତିହ ବଞ୍ଚେଇବା ଆମ ସମସ୍ତଙ୍କର ଦାୟିତ୍ୱ । ନୂଆ ସରକାର ନୂଆ କାମ କିଛି କରିନାହିଁ । ଯେଉଁକାମ ନବୀନ ସରକାରରେ ହୋଇଛି, ତାହାର ସୁରକ୍ଷା ନୂଆ ସରକାର କରନ୍ତୁ । 117 କୋଟି ଟଙ୍କା ଖର୍ଚ୍ଚ କରି ନବୀନ ସରକାର ଏହି ପ୍ରକଳ୍ପ କରିଛନ୍ତି । ନୂଆ ସରକାର ଏହାର ସୁରକ୍ଷା କରନ୍ତୁ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଗଠନ ହୋଇଛି । ବିଜେଡିର ଏହି ଫ୍ୟାକ୍ଚ ଫାଇଣ୍ଡିଂ ଟିମ ଗ୍ରାଉଣ୍ଡକୁ ଯାଇ ତଥ୍ୟ ଅନୁସନ୍ଧାନ କରିବେ । ଏହି ଟିମରେ ଅଛନ୍ତି ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ରମେଶ ଚ୍ୟାଉପଟ୍ଟନାୟକ, ଚନ୍ଦ୍ରଶେଖର ସାହୁ, ଭୃଗୁ ବକ୍ସିପାତ୍ର, ସୂର୍ଯ୍ୟମଣି ବୈଦ ଅଛନ୍ତି । ଟିମ ଘଟଣାସ୍ଥଳକୁ ଯାଇ ତଥ୍ୟ ଅନୁସନ୍ଧାନ କରିବେ ।"
ଗତକାଲି ମଧ୍ୟରାତ୍ରୀରେ ଗଞ୍ଜାମ ଜିଲ୍ଲାର ଆରାଧ୍ୟା ଦେବୀ ମା’ ତାରାତାରିଣୀଙ୍କ ମନ୍ଦିରର ଗ୍ରିଲ ଭାଙ୍ଗି ରୂପା ମୁକୁଟ, ଛତ୍ରି, ସହ ବାହାର ହୁଣ୍ଡିରୁ ପ୍ରାୟ ଲକ୍ଷାଧିକ ଟଙ୍କା ଚୋରି କରି ନେଇଯାଇଛନ୍ତି । ମନ୍ଦିର ହୁଣ୍ଡି ଭଙ୍ଗା ଯିବା ସହ ଗ୍ରିଲ କଟାଯାଇଛି । ଘଟଣାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି ।
ଇଟିଭି ଭାରତ, ବ୍ରହ୍ମପୁର ଓ ଭୁବନେଶ୍ବର