ଭୁବନେଶ୍ବର: ନୂଆବର୍ଷରେ ଥଣ୍ଡା ପବନ ରାଜ୍ୟ ଭିତରକୁ ପ୍ରବାହିତ ହେବ ଫଳରେ ହାଡଭଙ୍ଗା ଶୀତ ଅନୁଭୂତ ହେବ । ଏନେଇ ସୋମବାର ସ୍ପଷ୍ଟ କରିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର କର୍ତ୍ତୃପକ୍ଷ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ତେବେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଜିଲ୍ଲାରେ କୁହୁଡି ଦେଖାଦେବ । ୨୪ ଘଣ୍ଟା ମଙ୍ଗଳବାର ମଧ୍ୟରେ କଟକ, ଜଗତସିଂହପୁର, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ମାଲକାନଗିରି, ରାୟଗଡା ଏବଂ କୋରାପୁଟ ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର କୁହୁଡି ଦେଖାଦେବ ।
୩୧ ତାରିଖରୁ ରାତ୍ରି ତାପମାତ୍ରା ହ୍ରାସ ପାଇବ । ଫଳରେ ପ୍ରବଳ ଥଣ୍ଡା ଅନୁଭୂତ ହେବ । ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ସ୍ୱାଭାବିକ ତାପମାତ୍ରା ଠାରୁ 3 ଡିଗ୍ରୀ ଏବଂ 5 ଡିଗ୍ରୀ ତାପମାତ୍ରା ତଳକୁ ଖସିବ। ଗତ ୨୪ ଘଣ୍ଟାରେ ଫୁଲବାଣୀରେ ସର୍ବନିମ୍ନ ୫.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ୧୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । କଟକ, ପାରାଦୀପ, ନୟାଗଡ଼ ଜିଲ୍ଲାରେ କୁହୁଡି ଲାଗି ରହିଥିଲା ।