ଭୁବନେଶ୍ବର: ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି । ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଖରା ଓ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ହେଲେ ୫ ତାରିଖରୁ ବା ଆସନ୍ତାକାଲି(ସୋମବାର) ଠାରୁ ଗୁଳୁଗୁଳିରେ ଲାଗିବ ବ୍ରେକ୍ । ଆସନ୍ତାକାଲିଠୁ ରାଜ୍ୟରେ ବଢିବ ବର୍ଷା(Odisha likely to receive heavy rainfall) । ପ୍ରଥମେ ଘଡଘଡି ବିଜୁଳି ସହ ବର୍ଷା ହେବ । ପ୍ରଥମ ସପ୍ତାହ ଶେଷ ବେଳକୁ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।
ଏହାପରେ ୯ ରୁ ୧୩ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ୫ ତାରିଖରେ ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ସୋନପୁର, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡା ଓ ବାଲେଶ୍ଵରରେ ଘଡଘଡି ସହ ବର୍ଷା(heavy rainfall) ହେବାର ଆଶଙ୍କା ରହିଛି । ଏନେଇ ଏହି ସବୁ ଜିଲ୍ଲାଗୁଡିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।
ଏହାମଧ୍ୟ ପଢନ୍ତୁ: ସତ୍ୟବାଦୀରେ ବନ୍ୟା କ୍ଷୟକ୍ଷତି ଆକଳନ ଶେଷ ପର୍ଯ୍ୟାୟରେ, ଖୁବଶୀଘ୍ର ମିଳିବ ସହାୟତା
ବର୍ତ୍ତମାନ ଦୁର୍ବଳ ମୌସୁମୀ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨ ସହରରେ ଦିନ ତାପମାତ୍ରା ୩୫ ଡିଗ୍ରୀ କିମ୍ବା ଏହାଠୁ ଅଧିକ ରେକର୍ଡ ହୋଇଛି । ଉଚ୍ଚ ତାପମାତ୍ରା ଓ ଆର୍ଦ୍ରତା ପ୍ରଭାବରେ ଉପକୂଳ ଓଡିଶା ସମେତ ବିଭିନ୍ନ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ଗୁଳୁଗୁଳି ହେଉଛି । ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହୁଛି । ଏହା ପ୍ରଭାବରେ ଗୁଳୁଗୁଳି ଅଧିକ ଅନୁଭୂତ ହେଉଛି । ଶନିବାର ଅନୁଗୋଳରେ ସର୍ବାଧିକ ୩୬.୭ ଡିଗ୍ରୀ ରେକର୍ଡ ହୋଇଛି । ଏହାପଛକୁ ସମ୍ବଲପୁରରେ ୩୬.୫ ଡିଗ୍ରୀ ତାପମାତ୍ରା ରହିଛି । ବାଲେଶ୍ବର, କଟକ ଓ ଭୁବନେଶ୍ବରରେ ତାପମାତ୍ରା ପ୍ରାୟ ୩ ଡିଗ୍ରୀରୁ ଅଧିକ ରହିଛି । ଆଜି ଭୁବନେଶ୍ବରରେ ତାପମାତ୍ରା ୩୬ ଡିଗ୍ରୀ ରେକର୍ଡ କରାଯିବାର ସମ୍ଭାବନା ରହିଛି । ତେବେ ୫ ତାରିଖରୁ ବର୍ଷା ବଢିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
ଇଟିଭି ଭାରତ, ଭୁବନେଶ୍ବର