ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ କୁଆପଥର ବର୍ଷା ଆରମ୍ଭ ହୋଇଛି । ଆସନ୍ତା ୩୬ ଘଣ୍ଟା ମଧ୍ୟରେ ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡଘଡି ସହ କୁଆ ପଥର ବର୍ଷା ହେବ ବୋଲି ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏଭଳି ସ୍ଥିତିକୁ ନଜରରେ ରଖି ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ସବୁ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବ ।
ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ, ଝାରସୁଗୁଡା, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡା, କେନ୍ଦୁଝର, ମୟୁରଭଞ୍ଜ ଓ କନ୍ଧମାଳରେ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବ । ସେହିପରି ବଲାଙ୍ଗୀର, ବୌଦ୍ଧ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ ଓ ସୋନପୁର ଜିଲ୍ଲାରେ ଘଡଘଡି ସହ କୁଆପଥର ବର୍ଷା ହେବ । ଆସନ୍ତା ୨୨, ୨୩ ଓ ୨୪ ରେ ବର୍ଷା ହେବ । ଗତ ୨୪ ଘଣ୍ଟାରେ ଗଜପତିର କାଶୀନଗରରେ ସର୍ବାଧିକ ୨୫.୪ ମିଲିମିଟର ବର୍ଷା ରେକର୍ଡ କରାଯାଇ ଥିବାବେଳେ ପାରଳାଖମୁଣ୍ଡିରେ ୩୭.୧ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ଶନିବାର ଭୁବନେଶ୍ବରରେ କୁଆପଥର ସହ ଘଡଘଡି ବର୍ଷା ହୋଇଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ