ଭୁବନେଶ୍ବର: ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ । କୋଲକାତାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା । ଶୁକ୍ରବାର ରାତି ୧୦ଟା ୧୫ରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ଆଜି(ଶନିବାର) ତାଙ୍କର ମୃତଦେହ ଓଡ଼ିଶା ଆସିବ ବୋଲି ଜଣାପଡିଛି ।
କୋରୋନାରେ ଆକ୍ରାନ୍ତ ହୋଇ ଗତ ୨୯ ତାରିଖରୁ ଦେବାଶିଷ ପାଣିଗ୍ରାହୀ କଟକ ଅଶ୍ବିନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କ ସ୍ଥିତି ଗମ୍ଭୀର ହେବାରୁ ତାଙ୍କୁ ଭେଣ୍ଟିଲେଣ୍ଟରରେ ରଖାଯାଇଥିଲା । ଏକ୍ମୋ ଚିକିତ୍ସା ଜରୁରୀ ହୋଇଥିବା ପରିପ୍ରେକ୍ଷୀରେ ତାଙ୍କୁ ରାଜ୍ୟ ବାହାରକୁ ନେବାକୁ ଯୋଜନା ହୋଇଥିଲା । କୋରୋନାରେ ଗୁରୁତର ହୋଇଥିବା ଦେବାଶିଷଙ୍କୁ ଜୁନ୍ ୮ ତାରିଖରେ ଏୟାର ଆମ୍ବୁଲାନ୍ସରେ କୋଲକାତାର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ଏକମୋ ଚିକିତ୍ସା ପାଇଁ କୋଲକାତା ପଠା ଯାଇଥିଲାବେଳେ ତାଙ୍କର ଦେହାନ୍ତ ହୋଇଛି ।
ଦେବାଶିଷଙ୍କ କ୍ୟାରିଅର:
୧୯୯୧ ବ୍ୟାଚ୍ IPS ଅଫିସର ଦେବାଶିଷ ପାଣିଗ୍ରାହୀ ବାଲେଶ୍ବର ଜିଲ୍ଲା ନୀଳଗିରିରେ ୧୯୬୫ ମସିହା ଅଗଷ୍ଟ ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଉତ୍କଳ ବିଶ୍ବ ବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ MA ପାସ୍ କରିଥିବା ଦେବାଶିଷ JNUରେ M.Phil କରିଥିଲେ । Phd ଡିଗ୍ରି ହାସଲ କରିଥିବା ଦେବାଶିଷ ଆଇନରେ ସ୍ନାତକ ମଧ୍ୟ କରିଥିଲେ । ପରେ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । କେନ୍ଦୁଝର, ପୁରୀ, କଟକ, ଗଞ୍ଜାମ ଓ ଭୁବନେଶ୍ବର ଏସ୍ପି ଭାବେ କାର୍ଯ୍ୟ କରିଥିଲେ ଦେବାଶିଷ । ରାଜ୍ୟ ସରକାର ତାଙ୍କୁ ଗୁରୁତ୍ବପୂର୍ଣ୍ଣ ଭିଜିଲାନ୍ସ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ ।
ଭାଷା, ସାହିତ୍ୟ ଓ ସଙ୍ଗୀତ ପ୍ରତି ଅବଦାନ:
ଦେବାଶିଷ କେବଳ ଯେ ଜଣେ ଦକ୍ଷ ପୋଲିସ ଅଫିସର ନଥିଲେ ତାଙ୍କର ଭାଷା, ସାହିତ୍ୟ ଓ ସଙ୍ଗୀତ ପ୍ରତି ଅନେକ ଅବଦାନ ଥିଲା । ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ । ୨୦୦୨ ମସିହାରେ ସେ ନିଜ କ୍ଷୁଦ୍ରଗଳ୍ପ ସଂକଳନ “ତଥାକଥିତ” ପାଇଁ ଏହି ପୁରସ୍କାର ଲାଭ କରିଥିଲେ । ତାଙ୍କ ଗଳ୍ପ ଇଂରାଜୀ, ହିନ୍ଦୀ, ବଙ୍ଗଳା,ତେଲୁଗୁ ଓ କନ୍ନଡ଼ ଆଦି ଭାଷାକୁ ଅନୁବାଦିତ ହୋଇସାରିଛି । ସେ ଅନେକ ଓଡିଆ ଭଜନ ଓ ଆଧୁନିକ ସଙ୍ଗୀତ ଲେଖିଛନ୍ତି ।
ବିଭିନ୍ନ ବର୍ଗ ପକ୍ଷରୁ ଶୋକ
ଓଡିଶା ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ହରେଇଲା:- ପ୍ରଦୀପ ଜେନା, ଉନ୍ନୟନ କମିଶନର
ଦେବାଶିଷଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା । କୋଭିଡ଼ ଆମ ଠାରୁ ଆଉ ଜଣେ ଭଲ ମଣିଷଙ୍କୁ ଛଡ଼େଇ ନେଇଛି । ସେ ଯେମିତି ଦକ୍ଷ ଅଫିସର, ସେମିତି ଜଣେ ଭଲ ମଣିଷ ଥିଲେ । କ୍ୟାରିଅର ଆରମ୍ଭରୁ ନେଇ ଅତିରିକ୍ତ ଡିଜି ହେବା ପର୍ଯ୍ୟନ୍ତ, ମୁଁ ତାଙ୍କୁ ଦେଖିଛି । ଦେବାଶିଷଙ୍କର ଅସମୟରେ ବିୟୋଗ ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିବ ।
ଦେବାଶିଷଙ୍କ ଦେହାନ୍ତ ରାଜ୍ୟ ପାଇଁ ଅପୂରଣୀୟ କ୍ଷତି:- ସଞ୍ଜୟ ଦାସବର୍ମା
ଭିଜିଲାନ୍ସ ନିର୍ଦ୍ଦେଶକ ତଥା ୧୯୯୧ ବ୍ୟାଚର IPS ଅଫିସର ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ ଦୁଃଖଦାୟକ । ଜଣେ କର୍ତ୍ତବ୍ୟନିଷ୍ଠ ଅଫିସର ଭାବେ ସେ କାର୍ଯ୍ୟକରି ସୁନାମ ଅର୍ଜନ କରିଥିଲେ । IPS ଅଫିସର ସହ ଜଣେ ସାରସ୍ବତ ସାଧକ ଭାବେ ସେ ପରିଚିତ । ତାଙ୍କର ଦେହାନ୍ତ ରାଜ୍ୟ ପାଇଁ ଅପୂରଣୀୟ କ୍ଷତି । ଶୋକସନ୍ତପ୍ତ ପରିବାରବର୍ଗ ଏବଂ ସହଯୋଗୀଙ୍କୁ ଗଭୀର ସମବେଦନା ଜ୍ଞାପନ କରୁଛି ।
ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ବରିଷ୍ଠ IPS ଅଫିସର ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଦେହାନ୍ତ ବିଷୟରେ ଜାଣି ଅତ୍ୟନ୍ତ ଦୁଃଖିତ । ରାଜ୍ୟର ବିଭିନ୍ନ ପ୍ରଶାସନିକ ଅଧିକାରୀ ଭାବେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ । ନିଷ୍ଠାର ସହିତ ନିଜର କାର୍ଯ୍ୟ ଓ ଦାୟିତ୍ୱ ସମ୍ପାଦନା କରିଥିଲେ । ତାଙ୍କ ପରିବାରକୁ ମୋର ଗଭୀର ସମବେଦନା ଜଣାଉଛି ।
ଭାଷା ଓ ସାହିତ୍ୟ ପ୍ରତି ଥିଲା ଅନେକ ଅବଦାନ:- ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଯୋଗାଣ ମନ୍ତ୍ରୀ
ଭଲ ମଣିଷକୁ ହରେଇଲୁ:- ଅମର ପଟ୍ଟନାୟକ
ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ଖବର ! ଜଣେ ଭଲ ମଣିଷକୁ ହରେଇଲୁ । ଭଗବାନ ତାଙ୍କୁ ଏତେ ଶୀଘ୍ର ତାଙ୍କ ବାସସ୍ଥାନକୁ ନେବାକୁ କାହିଁକି ପଡିଲା ? ତାଙ୍କ ପଥ ଅଜବ ! ଦେବାଶିଷ, ତୁମେ ଯେଉଁଠାରେ ଥାଅ ଖୁସିରେ ଥାଅ । ଆମେ ତୁମକୁ ମନେ ପକାଇବୁ ! ପ୍ରଭୁ ଜଗନ୍ନାଥ ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ ଓ କଟକରୁ ନାରାୟଣ ସାହୁ, ଇଟିଭି ଭାରତ