ଭୁବନେଶ୍ବର: କୋରୋନା ଲାଗି ସାରା ଦେଶରେ ଲକ୍ଡାଉନ୍ ହୋଇଥିବାବେଳେ କୃଷି କାର୍ଯ୍ୟ ଯେପରି ପ୍ରଭାବିତ ନହୁଏ ସେନେଇ ଧ୍ୟାନ ଦିଆଯାଇଛି । ଆଜି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୃଷି ମନ୍ତ୍ରୀ ଓ କୃଷି ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ସାମ୍ପ୍ରତିକ ପରିସ୍ଥିତି ନେଇ ଆଲୋଚନା କରିଛନ୍ତି ।
ଆଜି ଅପରାହ୍ନ 4ଟାରେ ବସିଥିବା ଏହି ବୈଠକରେ ରାଜ୍ୟରୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଯୋଗଦେଇ ରାଜ୍ୟର କୃଷି ପରିସ୍ଥିତି ଓ ଏହାର ମୁକାବିଲା ନେଇ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି ।
ଲକ୍ଡାଉନ୍ ସମୟରେ ଯେପରି କୃଷିକାର୍ଯ୍ୟରେ ବାଧା ନଆସିବ ଓ କୃଷକମାନେ ଯେପରି ସେମାନଙ୍କ ଅତ୍ୟାବଶ୍ୟକ ଜିନିଷ ପାଇବାରେ କୌଣସି ଅସୁବିଧା ର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ପଦକ୍ଷେପ ନିଆଯାଇଛି ବୋଲି ଏହି ଅବସରରେ ସେ କହିଛନ୍ତି ।
ତେବେ ଏହି ବୈଠକରେ ରାଜ୍ୟର କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ କୁମାର ମହାପାତ୍ର, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ସୌରଭ ଗର୍ଗ, କୃଷି ଓ ଖାଦ୍ୟ ଉତ୍ପାଦନର ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ଏମ.ମୁଥୁକୁମାର ପ୍ରମୁଖ ଯୋଗ ଦେଇଥିଲେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ