ଭୁବନେଶ୍ବର: ଡେଲଟା ଭାରିଆଣ୍ଟ ଚିହ୍ନଟ ହେବା ସମୟରେ ମଧ୍ୟ ଟିକା କାମ କରିବ କି ନାହିଁ ସନ୍ଦେହ ଥିଲା । କିନ୍ତୁ 100 ପ୍ରତିଶତ ସୁରକ୍ଷା ଦେଉନଥିଲେ ମଧ୍ୟ ଟିକା ଅନେକ ମାତ୍ରାରେ ସୁରକ୍ଷା ଦେଉଛି । ତେଣୁ ଓମିକ୍ରନ ଠାରୁ ମଧ୍ୟ କ୍ରସ ପ୍ରୋଟେକ୍ସନ ଦେବ ଟିକା । ଯାହାଦ୍ୱାରା ସଂକ୍ରମଣର ଗମ୍ଭୀରତା କମିବା ସହ ମୃତ୍ୟୁହାର ମଧ୍ୟ କମିବ । ନିଶ୍ଚିତ ଭାବରେ ଟିକା କାମ କରିବ । ହେଲେ କେତେ ସୁରକ୍ଷା ଦେବ ସେ ନେଇ ଗବେଷଣା ଚାଲିଛି । ଯେ ପର୍ଯ୍ୟନ୍ତ ସମସ୍ତେ ଟିକା ନେଇ ନାହାନ୍ତି, ବିପଦ ଅଛି । ପୁଣି ରାଜ୍ୟରେ ସଂକ୍ରମଣ ଆସିପାରେ ।
ତେଣୁ ଯେଉଁମାନେ ପ୍ରଥମ ଡୋଜ ଟିକା ନେଇ ନାହାନ୍ତି ଏବଂ ଯେଉଁ ମାନଙ୍କର ଦ୍ବିତୀୟ ଡୋଜ ବାକି ଅଛି । ଖୁବଶୀଘ୍ର ଟୀକାକରଣ କେନ୍ଦ୍ରକୁ ଆସି ଟିକା ନେବାକୁ ଅନୁରୋଧ କରିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ । 2 କୋଟି 80 ଲକ୍ଷ ଲୋକ ପ୍ରଥମ ଡୋଜ, 1 କୋଟି 62 ଲକ୍ଷ ଲୋକ ଦ୍ବିତୀୟ ଡୋଜ ଟିକା ନେଇ ସାରିଲେଣି । ଅର୍ଥାତ 86 ପ୍ରତିଶତ ଲୋକଙ୍କର ପ୍ରଥମ ଡୋଜ ଟୀକାକରଣ ସରିଗଲାଣି ଏବଂ ଟାର୍ଗେଟ ହିତାଧିକାରୀଙ୍କ ମଧ୍ୟରୁ 50 ପ୍ରତିଶତ ଲୋକଙ୍କର ଦ୍ବିତୀୟ ଡୋଜ ଟୀକାକରଣ ଶେଷ ହୋଇଛି । ପାଖାପାଖି 45 ଲକ୍ଷ ଲୋକଙ୍କ ଟୀକାକରଣ ବାକି ଅଛି ।
ନଭେମ୍ବର 30 ପର୍ଯ୍ୟନ୍ତ ଥିବା ହର ଘର ଦସ୍ତକ ଅଭିଯାନକୁ ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ସ୍ବାସ୍ଥ୍ୟକର୍ମୀମାନେ ଘର ଘର ବୁଲି ଯେଉଁ ପ୍ରଥମ ଡୋଜ ବାକି ଅଛି ଏବଂ ଦ୍ବିତୀୟ ଡୋଜ ସମୟ ହୋଇଗଲାଣି ସେମାନଙ୍କୁ ଚିହ୍ନଟ କରୁଛନ୍ତି । ଏବଂ ନିକଟସ୍ଥ ଟୀକାକରଣ କେନ୍ଦ୍ରକୁ ଆଣି ଟିକା ଦେଉଛନ୍ତି । ଏହାସହ ଶଯ୍ୟାସାୟୀ ଲୋକଙ୍କୁ ଭ୍ୟାକ୍ସିନେସନ ଟିମ ଯାଇ ଟିକା ଦେଉଛନ୍ତି । ଆଜି(ଶନିବାର) ବତ୍ୟା ଏବଂ ବର୍ଷା ପ୍ରଭାବ ଥିଲେ ମଧ୍ୟ ଟୀକାକରଣ କାର୍ଯ୍ୟକ୍ରମ ଚାଲିଛି । କିନ୍ତୁ ଯେଉଁ ଜିଲ୍ଲା ଗୁଡ଼ିକ ବତ୍ୟା ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ରହିଛି ।
ସେଠାରେ ଟୀକାକରଣ କମ ଅଛି । 2500 ଟୀକାକରଣ କେନ୍ଦ୍ର ମଧ୍ୟରୁ 500 ଟୀକାକରଣ କେନ୍ଦ୍ର ବନ୍ଦ ରହିଛି । ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ନଭେମ୍ବର 4 ଓ 5 ତାରିଖ ଟୀକାକରଣ ବନ୍ଦ ରହିଛି । ବତ୍ୟା ପ୍ରଭାବ କମିବା ପରେ ସେହି ଜିଲ୍ଲା ଗୁଡ଼ିକରେ ଟୀକାକରଣ ପ୍ରକ୍ରିୟା ସ୍ଵାଭାବିକ ହେବ । ଚଳିତ ବର୍ଷ ଶେଷ ଅର୍ଥାତ ଡିସେମ୍ବର 31 ତାରିଖ ସୁଦ୍ଧା 100 ପ୍ରତିଶତ ପ୍ରଥମ ଡୋଜ ଟୀକାକରଣ ସରିବାର ଲକ୍ଷ୍ୟ ରଖାଯାଇଛି । ଟିକାର କୌଣସି ଅଭାବ ନାହିଁ। ରାଜ୍ୟରେ ଏବେ 62 ଲକ୍ଷ ଡୋଜ ମହଜୁଦ ଅଛି । ଭୁବନେଶ୍ୱରରେ 27 ଲକ୍ଷ ଡୋଜ ଟିକା ଦିଆସରିଲାଣି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ