ଭୁବନେଶ୍ବର: ନୋଏଡାରେ ନିର୍ମାଣ ହୋଇଥିବା ବେଆଇନ ଟ୍ବିନ୍ ଟାୱାର୍ସ ଭାଙ୍ଗି ଦିଆଯାଇଛି । ଦେଶର ବିଭିନ୍ନ ସ୍ଥାନରେ ବେଆଇନ ନିର୍ମାଣକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଥିବା ବେଳେ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(BDA) ଏ କ୍ଷେତ୍ରରେ ବହୁ ପଛରେ ପଡ଼ିଥିବା ଅଭିଯୋଗ ହେଉଛି (illegal buildings demolition in Bhubaneswar) । ରାଜଧାନୀ ଭୁବନେଶ୍ବରରେ 487ଟି ବେଆଇନ କୋଠା ଥିବାବେଳେ 194 କୋଠା ଭଙ୍ଗାଯିବ ବୋଲି ବିଧାନସଭାରେ ତତ୍କାଳୀନ ମନ୍ତ୍ରୀ ପ୍ରତାପ ଜେନା ଘୋଷଣା କରିଥିଲେ ।
ହେଲେ ବିଏମସି ଉପରେ ଦୋଷ ଲଦି ଦେଇ ବିଡିଏ ଚୁପ ବସିଥିବା ଅଭିଯୋଗ ହୋଇଛି । ବିପଦ ସଙ୍କୁଳ ଅବସ୍ଥାରେ ରାଜଧାନୀର ଅନେକ ଆପାର୍ଟମେଣ୍ଟ୍ । ବେଆଇନ ନିର୍ମାଣ ଯୋଗୁଁ ବେହାଲ ହୋଇଛି ଏହି ସବୁ ଅଟ୍ଟାଳିକା । ଫଳରେ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ଏ ନେଇ ବିଧାନସଭାରେ ପ୍ରଶ୍ନ ଉଠିବା ପରେ 2021 ମାର୍ଚ୍ଚ 30ରେ ଜବାବ ରଖିଥିଲେ ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ମନ୍ତ୍ରୀ କହିଥିଲେ, "ଭୁବନେଶ୍ବରରେ 487ଟି ବେଆଇନ କୋଠା ରହିଛି । 194ଟି ବେଆଇନ କୋଠା ଭାଙ୍ଗାଯିବ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ଗୋଟେ ବି ବେଆଇନ କୋଠା ଭଙ୍ଗାଯାଇନାହିଁ ।"
ବେଆଇନ ଘରଗୁଡ଼ିକୁ ଏହି ଇମ୍ପ୍ଲାଜୋନ ପ୍ରକ୍ରିୟାରେ ଭାଙ୍ଗିବା ପାଇଁ 2014 ମସିହାରେ ଇନ୍ଦୋରର ଇମ୍ପ୍ଲାଜୋନ ବିଶେଷଜ୍ଞ ତଥା ଇଞ୍ଜିନିୟର ଏସ୍ ସରତେ ନାମକ ଜଣେ ବ୍ୟକ୍ତିଙ୍କ ସହ ବିଡିଏ ଚୁକ୍ତି କରିଥିଲେ । ଇମ୍ପ୍ଲାଜୋନ ପ୍ରକ୍ରିୟାରେ ଘର ଭାଙ୍ଗିବା ପାଇଁ ଡିନାମାଇଟ ଆବଶ୍ୟକ ପଡ଼ୁଥିବାରୁ କମିଶନରେଟ୍ ପୋଲିସର ଅନୁମତି ଆବଶ୍ୟକ ପଡ଼ିଥିଲା । ଅନୁମତି ମିଳିବାର ବିଳମ୍ବ ଯୋଗୁଁ ସମ୍ପୃକ୍ତ ଘରମାଲିକ କୋର୍ଟଙ୍କ ଠାରୁ ଷ୍ଟେ ଅର୍ଡର ନେଇ ଆସିଥିଲେ । ଫଳରେ ଏହି ପ୍ରକ୍ରିୟାରେ ସେବେଠାରୁ ଆଉ ଆଗକୁ ବଢ଼ିପାରି ନାହିଁ । BMC ଅଞ୍ଚଳରେ ଥିବା ବେଆଇନ ନିର୍ମାଣକୁ କେବଳ ବିଏମସି ହିଁ ଭାଙ୍ଗିପାରିବ ବୋଲି 2018 -19 ନିଷ୍ପତ୍ତି ହୋଇଥିଲା । ବିଡିଏ କେବଳ ସହଯୋଗ କରିପାରିବ ।
ସେପଟେ ସର୍ଭେ କରି ବେଆଇନ କୋଠା ଭାଙ୍ଗିବାକୁ ନେଇ ନିଷ୍ପତ୍ତି ନିଆଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ କହିଛନ୍ତି । ମହାନଗର ଅଞ୍ଚଳ ବାହାର ବେଆଇନ ନିର୍ମାଣ ନେଇ କୋର୍ଟ ମାମଲା ପରେ ନିଷ୍ପତ୍ତି ହେବ ବୋଲି ବିଡିଏ ସଚିବ କବିନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି । ବିଭିନ୍ନ ସଂସ୍ଥା ମାଲିକମାନେ ବେଆଇନ ଭାବେ ନିର୍ମାଣ କରିଥିବା ଅଭିଯୋଗରେ ବିଡିଏ ପକ୍ଷରୁ ପ୍ରାୟ 6 ହଜାରଟି ମାମଲା ରୁଜୁ ହୋଇଛି । ଏଥିମଧ୍ୟରୁ 437ଟି ବଡ଼ ବିଲ୍ଡିଂ ଥିବାବେଳେ ଏଥିରେ ଜଡ଼ିତ ଥିବା 423 ଜଣ ବିଲ୍ଡରଙ୍କ ନାମରେ ମାମଲା ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର