ଭୁବନେଶ୍ବର: କ୍ରାନ୍ତି ଦିବସରେ କମ୍ପିଲା ରାଜଧାନୀର ଲୋୱର ପିଏମଜି । ଅଣସଙ୍ଗଠିତ ଶ୍ରମିକମାନଙ୍କୁ ନିଜର ଅଧିକାର ଦେବା ଦାବିରେ ବିଧାନସଭା ଘେରିଲା କଂଗ୍ରେସର ଅଣସଙ୍ଗଠିତ ଶ୍ରମିକ ସାମ୍ମୁଖ୍ୟ । ଶ୍ରମିକମାନଙ୍କ ସ୍ବାର୍ଥ, ଓ ବର୍ତ୍ତମାନ ଦେଶରେ ଦେଖାଯାଇଥିବା ଅନିୟନ୍ତ୍ରିତ ମୂଲ୍ୟବୃଦ୍ଧି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ଦଳ ।
ଆଜିର ବିଧାନସଭା ଘେରାଉ ସମୟରେ ଅଣସଙ୍ଗଠିତ ଶ୍ରମିକଙ୍କ ପାଇଁ ୯ ଦଫା ଦାବି ରଖିଛି ଦଳ । ଶ୍ରମିକଙ୍କ ନ୍ୟାର୍ଯ୍ୟ ଦାବି, ଅନ୍ତତଃ ୧୦୦ ଦିନର କାମ ଯୋଗାଇବା ସହ ରାଜ୍ୟ ସରକାର ଶ୍ରମିକମାନଙ୍କୁ ମାତ୍ର ୩୩ ଦିନର କାମ ଯୋଗାଉଛନ୍ତି, ତାହା ଗ୍ରହଣୀୟ ନୁହେଁ ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ।
କଂଗ୍ରେସ କହିଛି, ସାରା ଭାରତରେ ୯୩ ପ୍ରତିଶତ ଶ୍ରମିକ ଅଣସଙ୍ଗଠିତ ବର୍ଗର । କୋରୋନା ସମୟରେ ସେମାନେ ନିଜ ଜୀବିକା ହରାଇଛନ୍ତି। ସେମାନଙ୍କ ଜୀବନ ଜୀବିକା ସୁରକ୍ଷିତ କରିବା ,ପେଟ୍ରୋଲ,ଡିଜେଲ ,ରନ୍ଧନ ଗ୍ୟାସ ମୂଲ୍ୟ ବୃଦ୍ଧିରେ ରୋକ ଲଗେଇବା, ଶ୍ରମିକଙ୍କ ପାଇଁ ରୋଜଗାର ପନ୍ଥା ସୃଷ୍ଟି କରିବା ଭଳି ଏକାଧିକ ଦାବିକୁ ନେଇ ଆଜି ବିଧାନସଭା ଘେରାଉ କରାଯାଉଛି । ସେହିପରି ସମାନ ପ୍ରସଙ୍ଗ ନେଇ ଜାତୀୟ ସ୍ତରରେ ରାଜଧାନୀ ଦିଲ୍ଲୀରେ ମଧ୍ୟ ଦଳ ସଂସଦ ଭବନ ଘେରାଉ କରିଛି । ରାଜ୍ୟ ସରକାର ଅଣସଙ୍ଗଠିତ ଶ୍ରମିକଙ୍କ ପାଇଁ କଣ କରିଛନ୍ତି ତାର ଶ୍ବେତପତ୍ର ଜାରି କରନ୍ତୁ ବୋଲି ଦାବି କରିବା ସହ ଶ୍ରମିକଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଏ ଆନ୍ଦୋଳନ ଜାରି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ