ଭୁବନେଶ୍ବର:ପଡୋଶୀ ରାଜ୍ୟ ଏବଂ ସୀମା ବିବାଦକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୀମା ବିବାଦର ସମାଧାନ ପାଇଁ ସର୍ବଦଳୀୟ ବୈଠକ ଡାକିବା ସହ ଗୃହ କମିଟି ଗଠନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର । ନଜର ପକାନ୍ତୁ ଚିଠିରେ କଣ ରହିଛି ଉଲ୍ଲେଖ...
- ଓଡିଶା ସହ ଆନ୍ଧ୍ର, ପଶ୍ଚିମବଙ୍ଗ, ଛତିଶଗଡ ଓ ଝାଡଖଣ୍ଡ ସୀମା ବିବାଦ ଲାଗି ରହିଛି
- ଆପୋଷ ବୁଝାମଣାରେ ସୀମା ବିବାଦର ସମାଧାନ କରାଯାଉ
- ସଂଘୀୟ ବ୍ୟବସ୍ଥାରେ ଆପୋଷ ଆଲୋଚନାରେ ମୁଖ୍ୟ ଭୂମିକା ଗ୍ରହଣ କରୁ ଓଡିଶା
- ଆବଶ୍ୟକ ପଡିଲେ ଆଇନଗତ ନେବା ପାଇଁ ବିଚାର କରାଯାଉ
- ଓଡିଶାର ଲୋକଙ୍କ ସାମାଜିକ-ଆର୍ଥିକ ସ୍ବାର୍ଥ ସହ ସାଲିସ କରାନଯାଉ
ପଡୋଶୀ ରାଜ୍ୟ ସହ ଓଡିଶାର ସୀମା ବିବାଦ ଲାଗି ରହିଛି । ଆପୋଷ ବୁଝାମଣାରେ ବିବାଦର ସମାଧାନ କରାଯାଉ । ଏଥିପାଇଁ ରାଜ୍ୟ ସରକାର କେନ୍ଦ୍ରର ସହାୟତା ନେବା ସହ ଅନ୍ୟାନ ପଦକ୍ଷେପ ଗ୍ରହଣ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
ଏହାସହ ସୀମା ବିବାଦର ସମାଧାନ ପାଇଁ ସର୍ବଦଳୀୟ ବୈଠକ ଡକାଯାଉ । ଏଥିରେ ଗୁଇନ୍ଦା ବିଭାଗ ଓ ସମାଜର ବ୍ୟକ୍ତି ବିଶେଷଙ୍କ କଥାକୁ ପ୍ରାଧାନ୍ୟ ଦିଆଯାଉ । ଏପରିକି ବିଧାନସଭାର ସଦସ୍ୟକୁ ନେଇ ଗୃହ କମିଟି ଗଠନ କରିବାକୁ ମଧ୍ୟ ସେ ଉଲ୍ଲେଖ କରିଛନ୍ତି ।
ଏହାସହ ସମସ୍ତ ବିଷୟକୁ ଦ୍ବିପାକ୍ଷୀକ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇପାରିବ । ସଂଘୀୟ ବ୍ୟବସ୍ଥାରେ ଆପୋଷ ଆଲୋଚନା କରିବାରେ ରାଜ୍ୟ ମୁଖ୍ୟ ଭୂମିକା ଗ୍ରହଣ କରୁ । ରାଜ୍ୟବାସୀଙ୍କ ସାମାଜିକ-ଆର୍ଥିକ ସ୍ବାର୍ଥ ସହ ସାଲିସ ନ କରିବାକୁ ଆହ୍ବାନ ଦେଇଛନ୍ତି । ଦରକାର ପଡିଲେ ଆଇନଗତ ପଦକ୍ଷେପ ନେବା ପାଇଁ ସେ ଚିଠିରେ ଉଲ୍ଲେଖ କରିଛନ୍ତି ।
ଏହାବ୍ୟତୀତ କୋରାପୁଟ ପଟ୍ଟାଙ୍ଗୀରେ ସୀମା ଉତ୍ତେଜନା କଥା ମଧ୍ୟ ଚିଠିରେ ଉଲ୍ଲେଖ ରହିଛି । ଆନ୍ଧ୍ର ଏକପାଖିଆ ଭାବେ ସାମ୍ବାଇ ପଞ୍ଚାୟତ ଅନ୍ତର୍ଗତ ସୁନାବେଡା ମୌଜାର କିଛି ଅଂଶକୁ ନିଜର ବୋଲି ଦାବି କରିବା ସହ ତଳଗଞ୍ଜେଇପଦ ଗାଁରେ ବେଆଇନ ଭାବେ ପୋଖରୀ ଖୋଳୁଛି । ଯାହାକୁ ରାଜ୍ୟ ଗ୍ରହଣ କରୁନାହିଁ ।
ସୀମାରେ ବସବାସ କରୁଥିବା ଲୋକଙ୍କ ସାମଗ୍ରିକ ବିକାଶ ପାଇଁ ଭିତ୍ତିଭୂମି ଯୋଗାଇବା ଓ ନକ୍ସଲ ଦମନ କରିବା ଦିଗରେ ସରକାର ଧ୍ୟାନ ଦେବା ଆବଶ୍ୟକ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ