ଭୁବନେଶ୍ବର: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି ଓଡ଼ିଶାର ୪୦ ଲକ୍ଷ ୫୦ ହଜାର ଚାଷୀ । ଓଡ଼ିଶାର ଚାଷୀମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର ଚାଷୀ କିପରି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଲାଭ ପାଇପାରିବେ ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର । ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏଥିରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ।
ଧର୍ମେନ୍ଦ୍ର ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କିଷାନ ନିଧି ଯୋଜନା ଅନ୍ତର୍ଗତ ଦେଶବ୍ୟାପୀ ପଞ୍ଜୀକୃତ ହୋଇଥିବା ସାଢେ ୭ କୋଟି ଚାଷୀଙ୍କୁ ସପ୍ତମ କିସ୍ତିରେ ୧୯ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି । ବିଭାଗୀୟ ତଥ୍ୟ ଅନୁସାରେ ଓଡିଶାରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅନ୍ତର୍ଗତ ଓଡିଶାର ୪୦.୫ ଲକ୍ଷ ଚାଷୀ ଅନ୍ତର୍ଭୁକ୍ତ ଅଛନ୍ତି ।
କିନ୍ତୁ ସପ୍ତମ କିସ୍ତିରେ ଓଡିଶାର ୨୪.୭ ଲକ୍ଷ ଚାଷୀ ୨ ହଜାର ଟଙ୍କା ଲେଖାଏଁ ଏହି ଯୋଜନାରେ ପାଇଥିଲେ । ତେବେ ଏଭଳି ଘଟଣା ପ୍ରଥମ ଥର ନୁହେଁ ବରଂ ପୂର୍ବ ତଥା ଷଷ୍ଠ କିସ୍ତିରେ ମଧ୍ୟ ଅନୁରୂପ ଭାବରେ କମ୍ । ଚାଷୀ ଏହି ଯୋଜନାର ଲାଭ ପାଉଥିବା ଓ କିଛି ଚାଷୀ ବଞ୍ଚିତ ହେଉଥିବାର ଦେଖାଯାଉଛି ।
ପଞ୍ଜୀକୃତ ୪୦.୫ ଲକ୍ଷ ଚାଷୀ ମଧ୍ୟରୁ ପିଏମ କିଷାନ ଯୋଜନାର ପ୍ରଥମ କିସ୍ତିରେ ଓଡିଶାର ମାତ୍ର ୯.୭୩ ଲକ୍ଷ ଚାଷୀ ପ୍ରଥମ କିସ୍ତି ପାଇଥିଲେ ଯାହା ପଞ୍ଜୀକୃତଙ୍କ ୨୪ ପ୍ରତିଶତ । ସେହିପରି ଅନୁରୂପ ଭାବରେ ଦ୍ବିତୀୟ କିସ୍ତିରେ ୨୯.୯୨ ଲକ୍ଷ ଅର୍ଥାତ୍ ପଞ୍ଜୀକୃତଙ୍କ ୭୪ ପ୍ରତିଶତ । ସେହିପରି ତୃତୀୟ କିସ୍ତିରେ ୨୮.୭୭ ଲକ୍ଷ ତଥା ୭ ୧ ପ୍ରତିଶତ, ଚତୁର୍ଥ କିସ୍ତିରେ ୨୫.୬୧ ଲକ୍ଷ ଅର୍ଥାତ୍ ପଞ୍ଜୀକରଣ ୬୩ ପ୍ରତିଶତ ଚାଷୀ କେବଳ ପିଏମ ଯୋଜନାରେ ବ୍ୟାଙ୍କ ଖାତାରେ ଟଙ୍କା ପାଇଛନ୍ତି ।
ଅନୁରୂପ ଭାବରେ ପଞ୍ଚମ କିସ୍ତିରେ ୨୧.୫୫ ଲକ୍ଷ ଚାଷୀ । ଅର୍ଥାତ୍ ୫୩ ପ୍ରତିଶତ । ଷଷ୍ଠ କିସ୍ତିରେ ୨୩.୩୮ ଲକ୍ଷ ତଥା ୫୮ ପ୍ରତିଶତ ଓ ସପ୍ତମ କିସ୍ତିର ଲାଭ ମାତ୍ର ୬୧ ପ୍ରତିଶତ ଅର୍ଥାତ୍ ୨୪.୭୦ ଲକ୍ଷ ଚାଷୀ ଲାଭ ପାଇଛନ୍ତି । ଓଡିଶାର ଚାଷୀ ଗ୍ରାମୀଣ ଅର୍ଥନୀତିର ମେରୁଦଣ୍ଡ । ରାଜ୍ୟର ଜନସଂଖ୍ୟାର ଦୁଇ ତୃତୀୟାଂଶ ଚାଷୀ ଜିଡିପିର ଏକ ପଞ୍ଚମାଶ ଯୋଗଦାନ ରଖୁଛନ୍ତି । ତେବେ ଚାଷୀ ବିଶେଷ ଭାବରେ କ୍ଷୁଦ୍ର ଏବଂ ମଧ୍ୟମ ଚାଷୀଙ୍କ ଆୟକୁ ଦ୍ବିଗୁଣ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରାଥମିକତାରେ ରହିଛି ।
ଭାରତ ସରକାର ଗତ ୬ ବର୍ଷରେ ଅନ୍ନଦାତାଙ୍କୁ ଆର୍ଥିକ ସମ୍ପନ୍ନ କରିବା ଦିଗରେ ଅନେକ ବଡ ପ୍ରଭାବ ପକାଉଥିବା ପଦକ୍ଷେପ ଏବଂ ସଂସ୍କାର ଅଣାଯାଇଛି । ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନା ଏହା ମଧ୍ୟରୁ ଅନ୍ୟତମ । ୨୦୧୮ ମସିହାରେ ଚାଷୀଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଶୁଭାରମ୍ଭ କରାଯାଇଥିଲା ।
କେନ୍ଦ୍ର ସରକାର ଏହି ଯୋଜନା ଅନ୍ତର୍ଗତ ବାର୍ଷିକ ତିନୋଟି କିସ୍ତିରେ ୬ ହଜାର ଟଙ୍କାର ଚାଷୀଙ୍କୁ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି ଯୋଜନାର ନିୟମାବଳୀ ଅନୁସାରେ ରାଜ୍ୟ ସରକାର ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବେ । ଯୋଜନାର ୱେବପୋର୍ଟାଲରେ ଦାଖଲ କରିବେ ।
ହିତାଧିକାରୀଙ୍କ ତଥ୍ୟକୁ ସଠିକ୍ ଭାବରେ ଦେବାର ଦାୟିତ୍ବ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ ରହିଛି । ଏହାଦ୍ବାରା ଅର୍ଥ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଯାଇପାରିବ । ମାତ୍ର ରାଜ୍ୟ ସରକାରଙ୍କ ଅଧିକାରୀ ତଥା ପ୍ରଶାସନ ଦ୍ବାରା ଆବଶ୍ୟକୀୟ ପ୍ରକ୍ରିୟାକୁ ଅନୁପାଳନ ନକରିବା ଯୋଗୁଁ ପିଏମ କିଷାନ ନିଧି ଯୋଜନାରେ ପଞ୍ଜୀକୃତ ହୋଇଥିବା ଓଡିଶାର ଚାଷୀଙ୍କ ମଧ୍ୟରୁ ବହୁତ କମ୍ । ଚାଷୀ ଏହି ଯୋଜନାର ଲାଭ ପାଉଛନ୍ତି । ତେଣୁ ଓଡିଶାର ଚାଷୀମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ପିଏମ କିଷାନର ନିର୍ଦ୍ଦେଶାବଳୀର ଅନୁପାଳନକୁ ତୁରନ୍ତ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପର ଆବଶ୍ୟକତା ରହିଛି ।
ତେବେ ଓଡିଶାର ଚାଷୀଙ୍କୁ ପିଏମ୍ କିଷାନ ଯୋଜନାରେ ସଠିକ୍ ଲାଭ ନମିଳିବା ଏବଂ ବିଶେଷ ଭାବରେ କୋଭିଡ୍ -୧୯ ଯୋଗୁଁ ପ୍ରଭାବିତ ସମୟରେ ଯେତେବେଳେ ସରକାରୀ ସହୟତା ଚାଷୀଙ୍କୁ ଦରକାର ଥିଲା । ସେହି ସମୟରେ ଚାଷୀଙ୍କୁ ପିଏମ କିଷାନ ଟଙ୍କାରୁ ବଞ୍ଚିତ କରିବା ଦୁଃଖଦାୟକ ବୋଲି ଧର୍ମେନ୍ଦ୍ର ପତ୍ରରେ ଉଲ୍ଲେଖ କରିଛନ୍ତି ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ