ଭୁବନେଶ୍ବର: ମୟୂରଭଞ୍ଜ ନାଲି କାଇ ଚଟଣୀକୁ ମିଳିପାରେ ସର୍ବୋଷଧି ଟ୍ୟାଗ । ଆଦିମ ଜନଜାତି ତଥା ଆଦିବାସୀଙ୍କ ଖାଦ୍ୟ ନାଲି କାଇ ଚଟଣୀକୁ ଏହି ଟ୍ୟାଗ୍ ଦେବେ କେନ୍ଦ୍ର ସରାକାର । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି । ଚଟଣୀକୁ ସର୍ବୋଷଧି ମାନ୍ୟତା ଦେବା ପାଇଁ ବାରିପଦା PWD ସହକାରୀ ଯନ୍ତ୍ରୀଙ୍କ ଏକ ଚିଠିରେ ଆୟୁଷ ମନ୍ତ୍ରଣାଳୟ ଦେଇଥିବା ଏକ ପ୍ରତିଉତ୍ତରରେ ଏକଥା ସ୍ପଷ୍ଟ ହୋଇଛି । ଦୀର୍ଘ ଦିନରୁ ଦାବି ହୋଇ ଆସୁଥିବା ଏହି ବିଷୟକୁ ଏବେ ଗୁରୁତ୍ୱର ସହ ନେଇଛି ଆୟୁଷ ମନ୍ତ୍ରଣାଳୟ ।
ଆୟୁର୍ବେଦ ବିଜ୍ଞାନର ସେଣ୍ଟ୍ରାଲ କାଉନସିଲ ଫର୍ ରିସର୍ଚ୍ଚକୁ ଏହି ଚଟଣୀର ବୈଜ୍ଞାନିକ ପରୀକ୍ଷା ପାଇଁ ଆୟୁଷ ମନ୍ତ୍ରଣାଳୟର ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ତେବେ ନିକଟରେ ଓୟୁଏଟି ଦ୍ଵାରା ହୋଇଥିବା ପରୀକ୍ଷାରେ ଏଥିରେ ପ୍ରୋଟିନ ଭରପୁର ମାତ୍ରାରେ ରହିବା ସହିତ କାଲସିୟମ୍ ଜିଙ୍କ, ମଗ୍ନେଶିୟମ, ସୋଡ଼ିୟମ ଥିବା ଜଣାପଡ଼ିଥିଲା । ସେଥିପାଇଁ ଆୟୁଷ ମନ୍ତ୍ରଣାଳୟର ପରୀକ୍ଷା ମଧ୍ୟ ସଫଳ ହେବ ଏବଂ ମୟୂରଭଞ୍ଜ ନାଲି କାଇ ଚଟଣୀକୁ ସର୍ବୋଷଧି ମାନ୍ୟତା ମିଳିବ ବୋଲି ଦୀର୍ଘ ଦିନରୁ ଏହି ଦାବି ନେଇ ଲଢେଇ କରି ଆସୁଥିବା ଯନ୍ତ୍ରୀ ନୟାଧର ପାଢିଆଲ ଆଶାବାଦୀ ହୋଇଛନ୍ତି।
ମୟୂରଭଞ୍ଜ ଜିଲ୍ଲାରେ ବସବାସ କରୁଥିବା ବିଭିନ୍ନ ସମ୍ପ୍ରଦାୟ ଆଦିବାସୀ ଜନଜାତି ଲୋକେ ଜୀବିକା ପାଇଁ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ । ଦେହ ଅସୁସ୍ଥ ହେଲେ ତଥା ଥଣ୍ଡା, କାଶ, ଜ୍ବର ଏବଂ ବିଭିନ୍ନ ସମସ୍ୟାରୁ ମୁକ୍ତିପାଇଁ ଜଙ୍ଗଲରେ ଦେଖାଯାଉଥିବା ନାଲି କାଇକୁ ସଂଗ୍ରହ କରିଥାନ୍ତି ଏବଂ ଔଷଧ ଭାବେ ବ୍ୟବହାର କରିଥାନ୍ତି । ନାଲି କାଇକୁ ଆଦିବାସୀମାନେ କୁରକୁଟି କହିଥାନ୍ତି । ନାଲି ପିମ୍ପୁଡି ଠାରୁ ଏମାନେ ବଡ଼ ବଡ଼ ଦେଖିବାକୁ । ଶିମିଳିପାଳ ଅଭୟାରଣ୍ୟ ସମେତ ବିଭିନ୍ନ ଜଙ୍ଘଲରେ ଥିବା ଆମ୍ଭ, ଶାଳ, ମହୁଲ, ଓଉ, ଏବଂ ବିଭିନ୍ନ ଗଛରେ ଦେଖା ଯାଆନ୍ତି । ଜଙ୍ଗଲକୁ ଏକ ବୁରା ବା ମୁଣା ନେଇ ଅତି ସାବଧାନତା ସହିତ ଗଛ ଉପରକୁ ଚଢ଼ିବାକୁ ପଡିଥାଏ । ଗଛର ପତ୍ରକୁ ନେଇ ସେମାନେ ବାନ୍ଧିଥିବା ବସାକୁ ଅତି ସାବଧାନତା ସହିତ ଭାଙ୍ଗିବା ପରେ ଘରକୁ ଆଣିଥାନ୍ତି । ଶିଳପତାରେ ରସୁଣ, ଅଦା, ଧନିଆ ପତ୍ର, କଞ୍ଚାଲଙ୍କା, ତେନ୍ତୁଳି, ଲୁଣ ମିଶାଇ ନାଲି କାଇକୁ ଛେଚିବା ପରେ ଚଟଣି କରାଯାଇଥାଏ । ପରେ ଏହାକୁ କାଚପାତ୍ରରେ 6 ମାସରୁ 1ବର୍ଷ ଧରି ରଖାଯାଇଥାଏ। ପ୍ରତିଦିନ ଏହାକୁ ଖାଦ୍ୟ ସହିତ ଚଟଣି ଭାବି ଅଧିବାସୀ ଲୋକମାନେ ଖାଇବା ଦ୍ବାରା ବିଭିନ୍ନ ଉପକାରିତା ମିଳିଥାଏ ବୋଲି ସେମାନେ ଦାବି କରିନ୍ତି ।
କେବଳ ମୟୂରଭଞ୍ଜ ନୁହେଁ, ରାଜ୍ୟ ସମେତ ଦେଶ ବାହାରେ ନାଲି କାଇକୁ ଖାଦ୍ୟ ରୂପେ ଲୋକେ ବ୍ୟବହାର କରୁଥିବା ବେଳେ ଅଧିକାଂଶ ଲୋକେ ମେଡ଼ିସିନ ହିସାବରେ ବ୍ୟବହାର କରିଥାନ୍ତି । କାଇ ଚଟଣୀର ଔଷଧୀୟ ଗୁଣ ପାଇଁ ଏବେ ମୟୂରଭଞ୍ଜ ଠାରେ ଏକ କାଇ ସୋସାଇଟି କରି ଏହାର ଚାଷ ଏବଂ ବ୍ୟବସାୟ ଆରମ୍ଭ ହୋଇଛି । ଏହାର ଚାହିଦା ମଧ୍ୟ ରହିଛି । ତେଣୁ ସର୍ବୋଷଧି ମାନ୍ୟତା ମିଳିବା ପରେ ଉତ୍ପାଦନ ବଢିବା ପାଇଁ ଚାଷ କରାଯିବ । ଏହାଦ୍ବାରା ଆଦିବାସୀଙ୍କ ରୋଜଗାର ବଢିବ ଏବଂ ସେମାନେ ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ ବୋଲି ଆଶା କରାଯାଉଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ