ଭୁବନେଶ୍ବର: ଠିକା ନିଯୁକ୍ତିରେ ଚାଲିଛି ଓଡିଶା ସରକାର ଶୀର୍ଷକ ନେଇ ଆସିଛି ମୁଲତବୀ ପ୍ରସ୍ତାବ । ଗୃହରେ ବିଜେପି ପକ୍ଷରୁ ଆଗତ ହୋଇଥିବା ମୁଲତବୀ ପ୍ରସ୍ତାବ ନେଇ ଆଲୋଚନା ହୋଇଛି । ଆଲୋଚନାରେ ଅଂଶଗ୍ରହଣ କରି ଆଉଟ ସୋରସିଂ ଓ ଠିକା ନିଯୁକ୍ତିକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।
ରାଜ୍ୟ ସରକାରଙ୍କର 43 ଟି ବିଭାଗରେ 2 ଲକ୍ଷ 26 ହଜାର 5 ଶହ 59 ସରକାରୀ ପଦବୀ ଖାଲି ପଡ଼ିଛି । ଗୃହ ବିଭାଗରେ 26798, ରାଜସ୍ୱରେ 12761, ବିଦ୍ୟାଳୟ ଓ ଗଣଶିକ୍ଷାରେ ସର୍ବାଧିକ 61,836, ସ୍ୱାସ୍ଥ୍ୟ ବିଭାଗରେ 36,045, ଜଳ ସମ୍ପଦ ବିଭାଗରେ 8,753, କୃଷି ବିଭାଗରେ 9,686, ଉଚ୍ଚଶିକ୍ଷା ବିଭାଗ 11,522, ଜଙ୍ଗଲ ଓ ପରିବେଶ ବିଭାଗରେ 5814, ଅର୍ଥ ବିଭାଗରେ 3440 ପଦବୀ ଖାଲି ପଡିଛି । ହେଲେ ରାଜ୍ୟ ସରକାର ସ୍ଥାୟୀ ନିଯୁକ୍ତି ନଦେଇ ଜିଏସଟି ଆଦାୟ ଯୋଜନାରେ ଠିକା ନିଯୁକ୍ତି ବ୍ୟବସ୍ଥା କରିଛନ୍ତି । ଯାହା ଯୁବକ ଯୁବତୀଙ୍କ ପାଇଁ ଘାତକ ପରିସ୍ଥିତି ସୃଷ୍ଟି କରିଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ।
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, କେବଳ ଗୃହ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଭାଗରେ 1 ଲକ୍ଷରୁ ଅଧିକ ପଦବୀ ଖାଲି ପଡ଼ିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ରାଜ୍ୟର 70 ଟି ବ୍ଲଡ଼ ବ୍ୟାଙ୍କରେ 180 ଜଣ ଠିକା କର୍ମଚାରୀ ଅଛନ୍ତି । ନିର୍ବାଚନ ଆସିଲେ ମୁଖ୍ୟମନ୍ତ୍ରୀ ଯନ୍ତ୍ରୀ ମାନଙ୍କୁ ଠିକା ନିଯୁକ୍ତି ଦେଇ ବାହାବା ସାଉଁଟୁଛନ୍ତି । ଠିକା ଦୁର୍ନୀତି ଯୋଗୁଁ ଅପରାଧ ବଢ଼ିବାରେ ଲାଗିଛି ବୋଲି ଅଭିଯୋଗ କରିଛନ୍ତି ତାରାପ୍ରସାଦ ବାହିନୀପତି ।
ସେପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜରୀ ଗୃହରେ ଉତ୍ତର ରଖିଛନ୍ତି ଯେ, 2 ଲକ୍ଷ ପଦବୀ ଖାଲି ପଡିନାହିଁ । ମାତ୍ର 73 ହଜାର 451 ମୂଳ ପଦବୀ ଖାଲି ପିଡ଼ିଛି । ବାକି ପଦବୀ ପଦୋନ୍ନତି ଦ୍ୱାରା ପୁରଣ କରାଯିବ । ଏଥିପାଇଁ ମିଶନ ମୋଡ଼ରେ ପଦୋନ୍ନତି ଦେବା ପାଇଁ ସବୁ ବିଭାଗକୁ ନିର୍ଦେଶ ଦିଆଯାଉଛି । ଇତି ମଧ୍ୟରେ 48 ହଜାର 870 ଇନିସିଆଲ ନିଯୁକ୍ତି ଦିଆଯାଇଛି । 32 ହଜାର 945 ନୂଆ ପଦବୀ ସୃଷ୍ଟି କରାଯାଇଛି । ଚଳିତବର୍ଷ ଓପିଏସସି ଜରିଆରେ 6839 ଓ ଓଏସଏସସି ଜରିଆରେ 2678 ଏବଂ ଓଏସସିସି ଜରିଆରେ 7902 ମୂଳ ପଦବୀ ପୂରଣ ପାଇଁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ସରକାରୀ ନିଯୁକ୍ତିର ପ୍ରତିବନ୍ଧକ ନାହିଁ । ନିଯୁକ୍ତି ପ୍ରକ୍ରିୟା ଜାରି ରହିଥିବା ମନ୍ତ୍ରୀ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର