ଭୁବନେଶ୍ବର: କଳିଙ୍ଗା ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 6 ଜଣ ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗର ଟୁରିଷ୍ଟ ବସ ଦୁର୍ଘଟଣାଗ୍ରସ୍ତ ପରେ ଚେତିଛନ୍ତି ରାଜ୍ୟ ସରକାର । ଏନେଇ ଟୁରିଷ୍ଟ ବସ ଚାଳକଙ୍କୁ ପରାମର୍ଶ ଦେଇଛନ୍ତି ପରିବହନ ମନ୍ତ୍ରୀ । ଅନୁଭବ ଥିଲେ କଳିଙ୍ଗା ଘାଟିରେ ବସ ଚଲାଅ ବୋଲି ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । ଏହା ଛଡା ପୂର୍ବରୁ ଥିବା ବିକଳ୍ପ ରାସ୍ତାରେ ଟୁରିଷ୍ଟ ବସ ଚଳାଚଳ କରିବାକୁ ପରାମର୍ଶ ଦିଆଯାଇଛି ।
ପରିବହନ ମନ୍ତ୍ରୀ କହିଛନ୍ତି ଯେ, ଟୁରିଷ୍ଟ ବସ କଳିଙ୍ଗା ଘାଟି ଚଳାଚଳ ନେଇ କୌଣସି ପ୍ରତିବନ୍ଧକ ରାଜ୍ୟ ପରିବହନ ବିଭାଗ ଜାରି କରିନାହାଁନ୍ତି । ଟୁରିଷ୍ଟ ବସ କଳିଙ୍ଗା ଘାଟି ଦେଇ ଯାଇ ପାରିବ । ବାହାର ରାଜ୍ୟର ଯେଉଁ ଡ୍ରାଇଭରଙ୍କ ଘାଟିରେ ଗାଡି ଚଲାଇବାର ଅନୁଭବ ଓ ଅଭିଜ୍ଞତା ଅଛି, ସେମାନେ ହଁ ଘାଟିରେ ଗାଡି ନେଇ ପାରିବେ । ଯାହାର ଅଭିଜ୍ଞତା ନାହିଁ ସେମାନେ ଦଶପଲ୍ଲା ରାସ୍ତା ଦେଇ ଗାଡି ନିଅନ୍ତୁ ବୋଲି ମନ୍ତ୍ରୀ ପରାମର୍ଶ ଦେଇଛି । ରୁଟ ପରିବର୍ତ୍ତନ ନେଇ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ଟୁରିଷ୍ଟ ବସ ଡ୍ରାଇଭରମାନଙ୍କୁ ସଚେତନ କରିବାକୁ କୁହାଯାଇଛି । ପଶ୍ଚିମବଙ୍ଗ, ଗୁଜୁରାଟ ଡ୍ରାଇଭରମାନେ ଗାଡି ପ୍ଲେନ ରାସ୍ତାରେ ଚଳାଇବାର ଅଭିଜ୍ଞତା ରହିଛି । ସେମାନଙ୍କର ଘାଟିରେ ଗାଡି ଚଳାଇବାର ଅଭିଜ୍ଞତା ନଥିବା ଅନୁମାନ କରାଯାଉଛି ।
ଦୁର୍ଘଟଣାର କାରଣ ଜାଣିବା ଲାଗି ବିଭାଗ ପକ୍ଷରୁ ରିପୋର୍ଟ ମଗାଯାଇଛି । ବ୍ରେକ ଫେଲ ଯୋଗୁଁ ଦୁର୍ଘଟଣା ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡୁଛି । ହୋଇପାରେ ବ୍ରେକ ଫେଲ ଯୋଗୁଁ ଦୁର୍ଘଟଣା ହୋଇଥାଇପାରେ । କିନ୍ତୁ ରିପୋର୍ଟ ମିଳିବା ପରେ ପ୍ରକୃତ କାରଣ ଜଣାପଡିବ । କଳିଙ୍ଗା ଘାଟିରେ ବ୍ଲାକ ସ୍ପଟ ବି ଚିହ୍ନଟ ହୋଇଛି । ଏନେଇ ସଚେତନ କରାଯାଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ