ଭୁବନେଶ୍ବର: ଆଜି ବିଶ୍ବ ଏଡ୍ସ ଦିବସ । ଦିନକୁ ଦିନ ସାରା ଦେଶରେ ଏଡ୍ସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଆଉ ଏହାକୁ ରୋକିବା ପାଇଁ ହେଲେ ଲୋକଙ୍କ ସଚେତନତା କରାଇବା ହିଁ ଏକ ମାତ୍ରପନ୍ଥା । ଆଉ ଏହାକୁ ଆଖି ଆଗରେ ରଖି ରାଜଧାନୀର କିନ୍ନର ସମାଜ ଏକ ସଚେତନତା ରାଲିରେ ବାହାରିଥିଲେ ।
ରାଲିଟି ରାଜମହଲରୁ ବାହାରି ଶିଶୁ ଭବନ ଛକ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ଏଡ୍ସର ଭୟାବହ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା । ସେହିପରି ରାଉରକେଲାରେ ମଧ୍ୟ ଏଡସ ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ କିନ୍ନର । ଏହି ରୋଗର ଭୟାବହତା ସମ୍ପର୍କରେ ଲୋକଙ୍କୁ ଜଣାଇବା ପାଇଁ ଶୋଭାଯାତ୍ରା କରିଥିଲେ କିନ୍ନର ସଂଘର ସଦସ୍ୟ । ଜିଲ୍ଲା କିନ୍ନର ସଙ୍ଘ ସଭାପତି ଜୋୟା ତ୍ରିପାଠୀଙ୍କ ନେତୃତ୍ବରେ ରାଉରକେଲା ବାସନ୍ତୀ କଲୋନୀରୁ ବାହାରି ଥିବା ଶୋଭାଯାତ୍ରାଟି ମାଲ ଗୋଦାମ ସ୍ଥିତ କାଳୀମନ୍ଦିରରେ ଶେଷ ହୋଇଥିଲା ।
ପ୍ରକାଶ ଯେ,ବର୍ତ୍ତମାନ ରାଜ୍ୟରେ 1 କୋଟି 50 ହଜାର ନୂଆ ଏଡସ ରୋଗୀ ଚିହ୍ନଟ ହୋଇଥିବା ବେଳେ ପୂର୍ବରୁ 2018 ସୁଦ୍ଧା 3 କୋଟି 79 ଲକ୍ଷ ଏଡ୍ସ ରୋଗୀ ଅଛନ୍ତି । ଗଞ୍ଜାମରେ ସର୍ବାଧିକ 15000 ଏଡ୍ସ ରୋଗୀ ଅଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ 1540 ଏଡସ ଆକ୍ରାନ୍ତଙ୍କ ମଧ୍ୟରେ ରାଉରକେଲାର 625 ଜଣ ଅଛନ୍ତି । ସେହିପରି 2010 ରେ 50,2011 ରେ 59,2012ରେ 63,2013ରେ 73, 201 ରେ 69,2015ରେ 57,2016 ରେ 85 ,2017ରେ 80, 2018ରେ 83 ଜଣ ଏଡସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର ଓ ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ