ଭୁବନେଶ୍ବର: ଓଡିଶାର ପାରମ୍ପରିକ ଖାଦ୍ୟ ପଖାଳ। ପ୍ରତିଟି ଓଡିଆଙ୍କ ମନକଥା ବୁଝେ ପଖାଳ କଂସା । ଓଡିଆଙ୍କ ପରିଚୟ ଗଣ୍ଡେ ପଖାଳ । ସେ ଚଷା ପୁଅ ହେଉ କି ବଡବଡିଆ ସମସ୍ତଙ୍କ ପ୍ରିୟ ଖାଦ୍ୟ ପଖାଳ । ଗୁଣ୍ଡାଏ ପଖାଳ ସାଙ୍ଗକୁ ଢୋକେ ତୋରାଣି ପିଇଦେଲେ ଯେଉଁ ଶାନ୍ତି ମିଳେ ତାହା ପେଟ ଆଉ ମନ ହିଁ ଜାଣେ । ଖରା ଦିନ ଆସିଲେ ଓଡିଶାର ପ୍ରତିଟି ଘରେ ଖୋଜା ପଡେ ପଖାଳ କଂସା । ଖାଲି ଓଡିଶାରେ ନୁହେଁ ଦେଶ ବିଦେଶରେ ରହୁଥିବା ଓଡିଆମାନେ ମଧ୍ୟ ପଖାଳ ଖାଇଥାନ୍ତି ।
ଓଡ଼ିଆ ଲୋକମାନେ ପଖାଳ ଖାଇବା ପାଇଁ ଅଧିକ ପସନ୍ଦ କରନ୍ତି । ଓଡିଆ ଜାତିର ଏକ ଅନନ୍ୟ ବିଶେଷତ୍ବ ହେଉଛି ପଖାଳ । ବିଶ୍ବର କୋଣ ଅନୁକୋଣରେ ବାସ କରୁଥିବା ପ୍ରତ୍ୟେକ ଓଡିଆ ପାଇଁ ମାର୍ଚ୍ଚ-୨୦ ବହୁତ ମହତ୍ବ ରଖେ କାରଣ ଏହା ହେଉଛି ‘ବିଶ୍ବ ପଖାଳ ଦିବସ’ । ପାରମ୍ପରିକ ଖାଦ୍ୟକୁ ଲୋକପ୍ରିୟ କରିବା ତଥା ଗ୍ରୀଷ୍ମକୁ ସ୍ବାଗତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ 20କୁ ବିଶ୍ବବ୍ୟାପୀ ପଖାଳ ଦିବସ ଭାବରେ ପାଳନ କରାଯାଏ ।
ସାଧାରଣତଃ ବିଭିନ୍ନ ରକମର ପଖାଳ ରହିଛି । ହେଲେ ବାସି ପଖାଳର ସ୍ବାଦ ସଜ ପଖାଳ ଅପେକ୍ଷା ଟିକିଏ ନିଆରା । ପଖାଳ ସାଙ୍ଗକୁ ବଡି ଚୁରା, ଆଳୁ ଭର୍ତ୍ତା, ଶାଗ ଭଜା, ଆଉ ଟିକେ ମାଛ ଭଜା ସହିତ ଭଳିକି ବ୍ୟଞ୍ଜନ ମିଶିଲେ ପଖାଳ ଖାଇବା ମଜା ଆଉ ଟିକେ ବଢିଯାଏ । ଚାଳ ଘରଠୁ ନେଇ ବଡ ହୋଟେଲ ମାନଙ୍କରେ ମଧ୍ୟ ପଖାଳ ପରସା ଗଲାଣି । ପଖାଳ ପ୍ରତି ଲୋକଙ୍କ ବଢୁଥିବା ରୁଚିକୁ ଦେଖି ହୋଟେଲ ମାନଙ୍କରେ ସ୍ବତନ୍ତ୍ର ପ୍ରସ୍ତୁତି ଆଦି ଦେଖିବାକୁ ମିଳେ । ବଡବଡ ହୋଟେଲରେ ପଖାଳ ସହ ନାନା ପ୍ରକାରର ବ୍ୟଞ୍ଜନ ସାଙ୍ଗକୁ ବିଭିନ୍ନ ରକମର ପଖାଳ ମିଳିଥାଏ । ସଜ ପଖାଳ, ବାସି ପଖାଳ, ଜିରା ପଖାଳ, ଦହି ପଖାଳ, ଚାଇଁ ପଖାଳ ଇତ୍ୟାଦି ମିଳିଥାଏ । ଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତ କରାଯାଉଥିବା ଛପନ ଭୋଗମ ମଧ୍ୟରେ ବି ପଖାଳ ସାମିଲ ଅଛି। ପ୍ରଭୁ ଶ୍ରୀଜଗନ୍ନାଥ ବି ପଖାଳ ପ୍ରେମରେ। ଶ୍ରୀମନ୍ଦିରର ଟଙ୍କ ତୋରାଣି ଏହାର ପ୍ରମାଣ।
ଖରାଦିନେ ତାତି ବଢିଲେ ଘରେ ଘରେ ଜମେ ପଖାଳ ଖାଇବା । ପରିବାର ସହ ମିଶି ଗୋଟେ ଭଲ ଖାଇବା ହୋଇଥାଏ । ବାସି ପଖାଳ ଗୁଣ୍ଡେ ଖାଇ ଦେଇ ତୋରାଣି ଟିକେ ପିଇ ଦେଲେ ପାଟିରୁ ଆପେଆପେ ବାହାରିଯାଏ ‘ଓଃ କି ଶାନ୍ତି…’। ପଖାଳ ଓଡ଼ିଆଙ୍କ ସବୁଦିନିଆ ଖାଦ୍ୟ ହୋଇଥିଲେ ବି ଖରାଦିନ ଆସିଲେ ବେଶି ମନେ ପଡ଼େ। ୨୦୧୫ ମସିହାରେ ପ୍ରଥମ କରି ପଖାଳ ଦିବସ ପାଇଁ ଟୁଇଟର ଟ୍ରେଣ୍ଡ ଆରମ୍ଭ ହୋଇଥିଲା । ବର୍ତ୍ତମାନ ବିଶ୍ବର କୋଣ ଅନୁକୋଣରେ ଏହି ଦିବସକୁ ପାଳନ କରିବାକୁ ଅନେକ ଓଡ଼ିଆ ଆଗେଇ ଆସିଲେଣି । ଆଧୁନିକତାର ଚାକଚକ୍ୟରେ କିଛି ପରମ୍ପରା ହଜି ଯାଉଥିଲେ ବି ପଖାଳ ତାର ମହକ ହରାଇନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ