ଭୁବନେଶ୍ବର: ଲୋକସଭାର ପ୍ରଥମ ତଥା ଏକମାତ୍ର ଓଡ଼ିଆ ବାଚସ୍ପତି ରବି ରାୟ । ଗାନ୍ଧୀବାଦୀ, ସମାଜବାଦୀ, ସ୍ତମ୍ଭକାର ଓ ଜନନେତା ଭାବେ ସେ ପରିଚିତ ଥିଲେ । ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସେ ଜଣେ ସ୍ବାଧୀନତା ସଂଗ୍ରାମୀ ଥିଲେ। ଏପରିକି ରେଭେନ୍ସାରେ ପଢୁଥିବାବେଳେ ବ୍ରିଟିଶମାନଙ୍କ ଦ୍ବାରା ଗିରଫ ହୋଇଥିଲେ । ଆଜି ତାଙ୍କର 94ତମ ଜନ୍ମ ଜୟନ୍ତୀ । ଅବିଭକ୍ତ ପୁରୀ ଜିଲ୍ଲା ଭଅଁରଗଡରେ ଜନ୍ମ ଗ୍ରହଣ କରିଥିବା ରବି ରାୟଙ୍କୁ ଆଜି ଦେଶବାସୀ ମନେପକାଉଛନ୍ତି ।
1948ରେ ରବି ରାୟ ସୋସିଆଲିଷ୍ଟ ପାର୍ଟି(ଏସଏସପି) ପକ୍ଷରୁ ପୁରୀ ଆସନରୁ ପ୍ରଥମ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏହା ପରେ ସେ 1974ରେ ରାଜ୍ୟସଭାରୁ ନିର୍ବାଚିତ ହୋଇ ପରବର୍ତ୍ତୀ ସମୟରେ ସେ ଜନତା ଦଳର ସାଧାରଣ ସମ୍ପାଦକ ଭାବେ ଦାୟିତ୍ବ ତୁଲାଇଥିଲେ । କେନ୍ଦ୍ରାପଡା ଲୋକସଭା ଆସନରୁ 1989ରେ ନିର୍ବାଚିତ ହେବା ପରେ ନବମ ଲୋକସଭାର ବାଚସ୍ପତି ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ ।
ବାଚସ୍ପତି ଭାବେ ତାଙ୍କର କେତେକ ନିଷ୍ପତ୍ତି ଇତିହାସ ପୃଷ୍ଠାରେ ଲିପିବଦ୍ଧ ରହିବ । ପ୍ରଥମେ ସେ ହିଁ ସଂସଦରେ'ଶୂନ୍ୟ କାଳ' ବ୍ୟବସ୍ଥା ଆଣିଥିଲେ । ଯଦ୍ବାରା ସଦସ୍ୟମାନେ ସାଧାରଣ ସ୍ବାର୍ଥ ସହ ଜଡିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇବାର ସୁଯୋଗ ମିଳିଥିଲା। ଏପରିକି ତାଙ୍କର ସମୟରେ ସଂସଦୀୟ କାର୍ଯ୍ୟକ୍ରମ ଟେଲିଭିଜିନରେ ପ୍ରସାରିତ ହୋଇଥିଲା । ଏବଂ ଆଣ୍ଟି ଡିଫେକ୍ସନ ଲ' ମାଧ୍ୟମରେ 6 ଜଣ ସାଂସଦଙ୍କୁ ବହିଷ୍କାର କରିବାର କଠୋର ନିଷ୍ପତ୍ତି ନେଇପାରିଥିଲେ ।
ସେହିପରି ସେ ଜଣେ ଲେଖକ-ସ୍ତମ୍ଭକାର ଭାବେ ତାଙ୍କର ପ୍ରସିଦ୍ଧି ଲାଭ ଥିଲା । ଇଂରାଜୀରେ 'ପାର୍ଲାମେଣ୍ଟାରୀ ଡେମୋକ୍ରେସି', ହିନ୍ଦୀରେ ଚଉଖମ୍ବା ଓ ଓଡ଼ିଆରେ 'ଜନ', 'ସମତା' ତଥା ଇଂରାଜୀରେ 'ଦ ଅଦର ସାଇଡ' ପତ୍ରିକାର ସମ୍ପାଦନା କରିଥିଲେ । 'ମାଟି ଆକାଶ ' ରବି ରାୟଙ୍କ ଆତ୍ମ ଚରିତ୍ର । 'ଉତ୍କଳ ରତ୍ନ' 'ସାରଳା ସାହିତ୍ୟ ସଂସଦର 'କଳିଙ୍ଗ ରତ୍ନ' ଓ ଦଲାଇଲାମାଙ୍କ ଦ୍ବାରା 'ଲାଇଟ ଅଫ ଟୁଥ' ଆଦି ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି ।