ଭୁବନେଶ୍ବର: ଚପଲ ଫିଙ୍ଗିବା ଘଟଣାରେ ବିଜେପିର ତିନି ବିଧାୟକ ନିଲମ୍ବିତ । ବିଧାୟକ ଜୟନାରାୟଣ ମିଶ୍ର, ବିଷ୍ଣୁ ସେଠୀ ଏବଂ ମୋହନ ମାଝୀଙ୍କୁ ନିଲମ୍ବିତ କଲେ ବାଚସ୍ପତି । ଏଥିସହ 3 ବିଧାୟକଙ୍କୁ ଗୃହରୁ ବାହାରି ଯିବାକୁ ନିର୍ଦ୍ଦେଶ ଦେଲେ ବାଚସ୍ପତି । ଚଳିତ ଅଧିବେଶନର ଶେଷ ପର୍ଯ୍ୟନ୍ତ ଗୃହରେ ଯୋଗ ଦେଇ ପାରିବେନି ଏହି ତିନି ସଦସ୍ୟ ।
ଏପଟେ ଘଟଣାକୁ ବିରୋଧ କରି ବିଜେପି ସଦସ୍ୟମାନେ ଗୃହ ତ୍ୟାଗ କରିବା ସହ ବିଧାନସଭାରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ କରିଛନ୍ତି । ଏହାପରେ ବିରୋଧୀ ଦଳନେତାଙ୍କ ମନ୍ତବ୍ୟ ସାମ୍ନାକୁ ଆସିଛି । ପକ୍ଷ ରଖିବାକୁ ସୁଯୋଗ ଦିଆଗଲା ନାହିଁ । ଘଟିଥିବା ଘଟଣା ପାଇଁ ବିଧାୟକମାନେ କ୍ଷମା ମାଗିବାକୁ ପ୍ରସ୍ତୁତ ଥିଲେ । ଦଳ ବାଚସ୍ପତିଙ୍କ ନିଷ୍ପତ୍ତିକୁ ବିରୋଧ କରୁଛି ବୋଲି କହିଲେ ପ୍ରଦୀପ୍ତ ନାୟକ ।
ସେପଟେ ମୋହନ ମାଝୀ କହିଛନ୍ତି, ମୁଁ ଚପଲ ଫିଙ୍ଗିନାହିଁ । ଇୟର ଫୋନ ଫିଙ୍ଗିବା ଗୋଟେ ସାଧାରଣ କଥା । ବାଚସ୍ପତି ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି । ଯଦି ଇୟର ଫୋନ ଫିଙ୍ଗା ଘଟଣାକୁ ନେଇ ବାଚସ୍ପତି କାର୍ଯ୍ୟାନୁଷ୍ଠାନ ନେବେ ମୁଁ ସ୍ବାଗତ କରୁଛି ।
ଅନ୍ୟପଟେ ବାଚସ୍ପତିଙ୍କ ବିରୋଧରେ ବର୍ଷିଲେ ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର । ବାଚସ୍ପତି ନିଜ ପଦ ମର୍ଯ୍ୟଦା ଭୁଲିଯାଉଛନ୍ତି । ଆମେ ବାଚସ୍ପତିଙ୍କ ନିଷ୍ପତ୍ତିକୁ ବିରୋଧ କରୁଛୁ । ବାଚସ୍ପତି ଏକ ପାଖିଆ ନିଷ୍ପତ୍ତି ନେଇଛନ୍ତି । ନିଳମ୍ବିତ ବିଧାୟକଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆଗଲା ନାହିଁ । ବିଧି ବ୍ୟବସ୍ଥାକୁ ଭୁଲି ବେଆଇନ କାମ କରୁଛନ୍ତି । ଆମେ ବିରୋଧ କରିବୁ । ଦଳ ଯାହା ନିଷ୍ପତ୍ତି ନେବ ଆମେ ତାହା ମାନିବୁ କହିଲେ ଜୟ ନାରାୟଣ ମିଶ୍ର ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ