ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ଅର୍ଥାତ ବୁଧବାର ମଧ୍ୟରେ ରାଜ୍ୟରୁ ପ୍ରତ୍ୟାବର୍ତ୍ତନ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ। ତେବେ ଚଳିତ ବର୍ଷ ରାଜ୍ୟରେ ଭଲ ବର୍ଷା ହୋଇଥିବା ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ଜୁନ ପହିଲାରୁ ଅକ୍ଟୋବର ୨୭ ତାରିଖ ପର୍ଯ୍ୟନ୍ତ ୧୩୨୯ ମିମି ମୋଟ ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ବଭାବିକ ବର୍ଷା ଠାରୁ ୪% ଅଧିକ ।

ମାଲକାନଗିରି ଓ ଝାରସୁଗୁଡା ଜିଲ୍ଲାରେ ସର୍ବାଧିକ ଅଧିକ ବର୍ଷା ରେକର୍ଡ ହୋଇଛି । ସେହିପରି ୧୮ ଜିଲ୍ଲାରେ ଅଧିକ ବର୍ଷା ରେକର୍ଡ କରାଯାଇଛି ।ଏହାସହ ୫ ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ଏବଂ ୭ ଜିଲ୍ଲାରେ କମ ବର୍ଷା ରେକର୍ଡ କରାଯାଇଥିବା ମଙ୍ଗଳବାର ସୂଚନା ଦେଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଧେଶକ ହବିବୁର ରେହମାନ ବିଶ୍ବାସ।

ତେବେ ଅକ୍ଟୋବର ପହିଲାରୁ ୨୭ ତାରିଖ ପର୍ଯ୍ୟନ୍ତ ୭% ଅଧିକ ବର୍ଷା ହୋଇଛି। ଚଳିତମାସରେ ୩ ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା। ଆଗକୁ ୫ ଦିନ ରାଜ୍ୟରେ ପାଗ ଶୁଖିଲା ରହିବା ସହ ତାପମାତ୍ରା ତଳକୁ ଖସିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ