ଭୁବନେଶ୍ୱର: ଖୁବଶୀଘ୍ର ଓଡିଶାରେ ଆରମ୍ଭ ହେବ କୋଭିଡ-19 ଭ୍ୟାକ୍ସିନ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ । ସ୍ଥାନୀୟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲରେ ଆରମ୍ଭ ହେବ ଏହି ପରୀକ୍ଷଣ ।
ଏହି ସ୍ୱଦେଶୀ ଟୀକାକୁ ଭାରତ ବାୟୋଟେକ ଓ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ମିଳିତ ଭାବେ ପ୍ରସ୍ତୁତ କରୁଥିବା ବେଳେ ଏହାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ନିମନ୍ତେ ସେଣ୍ଟ୍ରାଲ ଡ୍ରଗସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନର ପକ୍ଷରୁ ସ୍ୱୀକୃତି ମିଳିଛି । ଏହା ପୂର୍ବରୁ ଦୁଇଟି ପର୍ଯ୍ୟାୟ ମାନବ ପରୀକ୍ଷଣ ପ୍ରକ୍ରିୟା ସୁରକ୍ଷିତ ଭାବେ ଶେଷ ହୋଇ ସାରିଛି । ଏହି ପ୍ରକ୍ରିୟାରେ ଅନେକ ସଂଖ୍ୟାରେ ସ୍ବେଚ୍ଛାସେବୀଙ୍କ ଶରୀରରେ ନୂତନ ଟୀକାର ପରୀକ୍ଷଣ କରାଯିବ ।
ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ନିମନ୍ତେ ଦେଶର ୨୧ଟି ମେଡିକାଲ ଅନୁଷ୍ଠାନକୁ ଆଇସିଏମଆର ପକ୍ଷରୁ ଚୟନ କରାଯାଇଥିବା ବେଳେ ଓଡିଶାର ଏକମାତ୍ର ଅନୁଷ୍ଠାନ ଭାବେ ଆଇଏମଏସ ଓ ସମ ହସ୍ପିଟାଲକୁ ମନୋନୀତ କରାଯାଇଛି । କୋରୋନା ମହାମାରୀର ପ୍ରଭାବ ଦେଶରେ ବଢ଼ି ଚାଲିଥିବା ବେଳେ ଏହାକୁ ପ୍ରତିହତ କରିବା ନିମନ୍ତେ ପ୍ରସ୍ତୁତ କରାଯାଉଥିବା ଏହି ଟୀକାର ପରୀକ୍ଷଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କହିଛନ୍ତି ଆଇଏମଏସ ଆଣ୍ଡ ସମ ହସ୍ପିଟାଲର କମ୍ୟୁନିଟି ମେଡ଼ିସିନ ବିଭାଗର ପ୍ରଫେସର ତଥା ଏହି ପରୀକ୍ଷଣର ମୁଖ୍ୟ ପରୀକ୍ଷକ ପ୍ରଫେସର ଇ. ଭେଙ୍କଟ ରାଓ ।
ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ପ୍ରିଭେନଟିଭ ଆଣ୍ଡ ଥେରାପିଉଟିକ କ୍ଲିନିକାଲ ୟୁନିଟର ମୁଖ୍ୟ ଥିବା ପ୍ରଫେସର ରାଓ କହିଛନ୍ତି ଯେ ଏହି ତୃତୀୟ ପର୍ଯ୍ୟାୟରେ ବୟସ ସୀମା, ଯୋଗ୍ୟତା ଏବଂ ସ୍କ୍ରିନିଂ ପ୍ରକ୍ରିୟାକୁ କୋହଳ କରାଯିବ ଏବଂ ସୁସ୍ଥ ସ୍ବେଚ୍ଛାସେବୀମାନେ ଏହିପର୍ଯ୍ୟାୟ ନିମନ୍ତେ ଚୟନ କରାଯାଇପାରିବେ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ମାନଙ୍କ ଶରୀରରେ ମଧ୍ୟ ଏହି ଟୀକା ପ୍ରୟୋଗ କରାଯିବାର ଯୋଜନା ରହିଛି ବୋଲି ପ୍ରଫେସର ରାଓ କହିଛନ୍ତି ।
ତେବେ ଟୀକା ପ୍ରୟୋଗ କରାଯାଇଥିବା ସ୍ବେଚ୍ଛାସେବୀ ମାନଙ୍କ ଠାରେ କୋଭାକସିନ ଟୀକାର ପ୍ରଭାବ ସମ୍ପର୍କରେ ଅନୁଧ୍ୟାନ କରାଯିବ । ଏହି ଭ୍ୟାକ୍ସିନର ପରୀକ୍ଷଣ ନିମନ୍ତେ ଅନେକ ସ୍ବେଚ୍ଛାସେବୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହୋଇଥିବା ସେ ଜଣାଇଛନ୍ତି । ଇଛୁକ ସ୍ବେଚ୍ଛାସେବୀମାନେ www.ptctu.soa.ac ୱେବସାଇଟରେ ରେଜିଷ୍ଟ୍ରସନ କରିପାରିବେ ।
ସେହିପରି 18 ବର୍ଷରୁ କମ ବୟସର ପିଲା, ଗର୍ଭବତୀ ମହିଳା, ଏବଂ ବୟସ୍କ ଲୋକଙ୍କ ଉପରେ ପରୀକ୍ଷଣ କରାଯିବନାହିଁ । ଯେଉଁ ମାନଙ୍କର ରୋଗ ପ୍ରତିଷେଧକ ଶକ୍ତି କମ ଥିବ ସେମାନଙ୍କୁ ଏଥିରେ ଅଂଶଗ୍ରହଣ କରାଯିବ ନାହିଁ ବୋଲି ଓଡିଶା କ୍ଲିନିକାଲ ଟ୍ରାଏଲ ମୁଖ୍ୟ ଇ. ଭେଙ୍କେଟ ରାଓ ସୂଚନା ଦେଇଛନ୍ତି।
ପ୍ରକାଶ ଥାଉ କି, ଅକ୍ଟୋବର 23 ତାରିଖରେ କୋରୋନା ଟୀକାକୁ କେନ୍ଦ୍ର ସରକାର କୋଭାକ୍ସିନ ମାନବ ପରୀକ୍ଷଣର ତୃତୀୟ ପରୀକ୍ଷଣକୁ ଅନୁମତି ଦେଇଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ବିକାଶ ଦାସ, ଇଟିଭି ଭାରତ