ଭୁବନେଶ୍ବର: ସହରାଞ୍ଚଳରେ ୫-ଟି ଆଧାରରେ କାର୍ଯ୍ୟକାରୀ ହେଉଛି ବିଭିନ୍ନ ଯୋଜନା । ଯୋଜନାଗୁଡିକର ସଫଳ ରୂପାୟନ ଏବଂ ତଦାରଖ କରାଯାଉଛି । ଏହାକୁ ଅଧିକ ଶାଣିତ ଓ ନିୟନ୍ତ୍ରିତ କରିବା ଲାଗି ରାଜ୍ୟ ସ୍ତରୀୟ ତୃତୀୟ ପକ୍ଷ ଗୁଣାତ୍ମକ ମାନ ନିର୍ଦ୍ଧାରଣ ଟିମ୍ ଗଠନ ହୋଇଛି । ଏହି କ୍ରମରେ ରାଜ୍ୟସ୍ତରୀୟ ତୃତୀୟ ପକ୍ଷ ଗୁଣାତ୍ମକ ମାନ ନିର୍ଦ୍ଧାରଣ ଟିମ୍ ଦ୍ୱାରା ସହରାଞ୍ଚଳ ରାସ୍ତା ଭିତ୍ତିଭୂମି ନିର୍ମାଣ ପାଇଁ ସଠିକ୍ ପଦକ୍ଷେପ ନେବା ସାଙ୍ଗକୁ ପୌରସଂସ୍ଥା ସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି ।
ରାଜ୍ୟରେ ଥିବା ୧୧୪ଟି ପୌରାଞ୍ଚଳରେ ୭୦୦କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ସହରାଞ୍ଚଳ ରାସ୍ତା ତଥା ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ ଲାଗି ପାଖାପାଖି ୫ ହଜାର କାର୍ଯ୍ୟ ଚାଲୁ ରହିଛି । ସହରାଞ୍ଚଳ ରାସ୍ତା ତଥା ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକାରୀ ହେଉଥିବା ସମସ୍ତ ଅଞ୍ଚଳକୁ ଭାରତ ସରକାରଙ୍କ ଅନୁମୋଦିତ ଅନୁଷ୍ଠାନ ନେସନାଲ କାଉନସିଲ ଅଫ୍ ସିମେଣ୍ଟ ଆଣ୍ଡ ବିଲିଡିଂ ମେଟେରିଆଲ୍ସର କର୍ତ୍ତୃପକ୍ଷ ବିଭିନ୍ନ ଅଞ୍ଚଳ ଗସ୍ତ କରିଛି । ନମୂନା ସଂଗ୍ରହ କରି ନିଜର ତଥା ରାଜ୍ୟ ସରକାରଙ୍କ ପରୀକ୍ଷାଗାରରେ ତାହାର ପରୀକ୍ଷା କରାଯିବାର ଲକ୍ଷ୍ୟ ରହିଛି ।
ଏଭଳି ଯାଞ୍ଚ ସାରା ଭାରତରେ ପ୍ରଥମ । ଏଭଳି ଉଦ୍ୟମର ପରିକଳ୍ପନା କରିଥିବା ଏବଂ 'କାର୍ଯ୍ୟକ୍ରମ ସଂଖ୍ୟା ଅପେକ୍ଷା କାର୍ଯ୍ୟକ୍ରମର ଗୁଣାତ୍ମକ ମାନ' ଉପରେ ବିଶ୍ୱାସ ରଖୁଥିବା ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନଙ୍କ ନିର୍ଦ୍ଦେଶରେ ଠିକାଦାର ଏବଂ ଯନ୍ତ୍ରୀମାନଙ୍କୁ ନେଇ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଉପସ୍ଥିତ ବ୍ୟକ୍ତିବିଶେଷମାନେ ଏଭଳି ଉଦ୍ୟମର ପ୍ରଶଂସା କରିଥିଲେ । ପୌର ପ୍ରଶାସକ ସଂଗ୍ରାମଜିତ ନାୟକ ଏଥିରେ ପୌରହିତ କରିଛନ୍ତି ।ସହରାଞ୍ଚଳ ରାସ୍ତା ତଥା ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣର ଗୁଣାତ୍ମକ ମାନ ଯାଞ୍ଚ ସହରାଞ୍ଚଳର ରାସ୍ତା ତଥା ଅନ୍ୟାନ୍ୟ ଭିତ୍ତିଭୂମି ବ୍ୟବସ୍ଥାକୁ ସୁଦୃଢ କରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।
ସହରାଞ୍ଚଳରେ ହାତକୁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମର ମାନ ବୃଦ୍ଧି ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ସେ କହିଛନ୍ତି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ ତଥା ଅତରିକ୍ତ ଶାସନ ସଚିବ ଡକ୍ଟର ଭକ୍ତ କବି ଦାଶଙ୍କୁ କାର୍ଯ୍ୟକ୍ରମର ସଠିକ ତଦାରଖ ପାଇଁ ବିଭାଗ ପକ୍ଷରୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ