ଭୁବନେଶ୍ବର: ରାଜ୍ୟରେ ବିବାହ ବିଚ୍ଛେଦର ଉଦବେଗ ଜନକ ସ୍ଥିତି । ଏନେଇ ବିଜେପି ବିଧାୟକ ନବଚରଣ ମାଝୀ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ।
ବିଧାନସଭାରେ ଆଜି ବିଧାୟକ ନବଚରଣ ମାଝୀ ଜାଣିବାକୁ ଚାହିଁଥିଲେ ଯେ ରାଜ୍ୟର କେଉଁ ଜିଲ୍ଲାରେ କେତେ ଛାଡପତ୍ରଧାରୀ ମହିଳା ରହିଛନ୍ତି । ରାଜ୍ୟ ସରକାର ଛାଡପତ୍ରଧାରୀ ମହିଳାଙ୍କ ଥଇଥାନ ପାଇଁ ଓ ଦୈନନ୍ଦିନ ସାମାଜିକ ସ୍ତରରେ ବଞ୍ଚିବା ପାଇଁ କି କି ବ୍ୟବସ୍ଥା କରିଛନ୍ତି । ଏହି ବର୍ଗର ମହିଳାଙ୍କ ଭରଣପୋଷଣ ପାଇଁ ସରକାର ପେନସନ ଯୋଜନାରେ ଭତ୍ତା ପ୍ରଦାନ ପାଇଁ ପଦକ୍ଷେପ ନେବେ କି?
ଉତ୍ତରରେ ବିଭାଗୀୟ ମନ୍ତ୍ରୀ ତଥା ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ ରାଜ୍ୟ ସରକାର ଛାଡପତ୍ରଧାରୀ ମହିଳାଙ୍କ ଥଇଥାନ ପାଇଁ ମଧୁବାବୁ ପେନସନ ଯୋଜନାରେ ଗତ 23 ଜୁଲାଇ 2019 ଠାରୁ ମାସିକ 5ଶହ ଟଙ୍କା ଭତ୍ତା ପ୍ରଦାନ କରୁଛନ୍ତି । ପ୍ରତି ଜିଲ୍ଲାରେ ମଧୁବାବୁ ପେନସନ ଯୋଜନାରେ ଭତ୍ତା ପାଉଥିବା ମହିଳାଙ୍କ ତାଲିକା ଦେଇଛନ୍ତି ।
ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ ସାରା ରାଜ୍ୟରେ ମଧୁବାବୁ ପେନସନ ଯୋଜନାରେ 23 ଜୁଲାଇ 2019 ସୁଦ୍ଧା 12022 ଆବେଦନ କରିଥିବାବେଳେ ସେଥିମଧ୍ୟରେ 9848 ଜଣ ଏହି ଯୋଜନାର ଉପକୃତ ହୋଇଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ