ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ସୋମବାର ଏକାମ୍ରକ୍ଷେତ୍ର ଯୋଜନା ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନା କରାଯାଇଥିଲା । ଲିଙ୍ଗରାଜ ମନ୍ଦିର ନିକଟରେ 66 ଏକର ପରିମିତ ଜମି ଉପରେ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । ଲିଙ୍ଗରାଜ ମନ୍ଦିର ଚତୁପାର୍ଶ୍ବର ଭବ୍ୟ ବିକାଶ କରାଯାଇ ଏଠାରେ ଏକ ଅଧ୍ୟାତ୍ମିକ, ଶାନ୍ତ ତଥା ଭକ୍ତି ପରିବେଶ ସୃଷ୍ଟି କରାଯାଉଛି । ପୂର୍ବରୁ 10-15 ହଜାର ଲୋକ ମନ୍ଦିର ସମ୍ମୁଖରେ ସମାଗମ ହେବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏହି ନୂଆ ଯୋଜନା ପରେ ଦୁଇ ଲକ୍ଷରୁ ଅଧିକ ଲୋକଙ୍କ ମନ୍ଦିର ସମ୍ମୁଖରେ ସମଗମ ହୋଇପାରିବ ।
ମହାପ୍ରଭୁଙ୍କର ଶିବରାତ୍ରୀ ଉତ୍ସବରେ ସାମିଲ ହୋଇ ମହାଦୀପ ଦର୍ଶନର ଆଧ୍ୟାତ୍ମିକ ଅନୁଭବ ଲାଭ କରିପାରିବେ । ଶିବରାତ୍ରୀ ସହିତ ଅଶୋକାଷ୍ଟମୀ ରଥଯାତ୍ରା ଓ ମହାପ୍ରଭୁଙ୍କର ଅନ୍ୟ ଯାନିଯାତ୍ରା ସମୟରେ ତୀର୍ଥଯାତ୍ରୀ ପରିଚାଳନାରେ ମଧ୍ୟ ଏହା ବିଶେଷ ସହାୟକ ହେବ । ଶ୍ରାବଣ ମାସରେ ଲକ୍ଷ ଲକ୍ଷ କାଉଡିଆ ଲିଙ୍ଗରାଜ ମନ୍ଦିର ଆସିଥାନ୍ତି । ସେମାନେ ଯେପରି ସୁବିଧାରେ ଓ ଶୃଙ୍ଖଳିତ ଭାବରେ ମନ୍ଦିର ଯାଇ ପାଣି ଲାଗି ଓ ପୂଜା କରିପାରିବେ ସେଥିପାଇଁ ଏହି ଯୋଜନାରେ ଦୃଷ୍ଟି ଦିଆଯାଇଛି ।

ବିନ୍ଦୁସାଗର ସହିତ ରହିଛି ମହାପ୍ରଭୁଙ୍କର ଅନନ୍ୟ ସମ୍ପର୍କ ଓ ଏହା ଲିଙ୍ଗରାଜ ମନ୍ଦିର ପରେ ଏକାମ୍ରକ୍ଷେତ୍ରର ଦ୍ବିତୀୟ ଆକର୍ଷଣ କେନ୍ଦ୍ରବିନ୍ଦୁ । ବିନ୍ଦୁ ତୀର୍ଥରୁ ସୃଷ୍ଟି ହୋଇଥିବା ଏହି ପବିତ୍ର ପୁଷ୍କରିଣୀ ଏକାମ୍ରକ୍ଷେତ୍ରର ଆଧ୍ୟାତ୍ମିକ ଜୀବନର ଅନନ୍ୟ ଅଙ୍ଗ । ମହାପ୍ରଭୁଙ୍କ ବିଭିନ୍ନ ଯାନିଯାତ୍ରା ସହିତ ଏହାର ମଧ୍ୟ ସମ୍ପର୍କ ରହିଛି । ଏକାମ୍ରକ୍ଷେତ୍ର ଯୋଜନାରେ ବିନ୍ଦୁସାଗରୁ ଲିଙ୍ଗରାଜ ମନ୍ଦିର ଓ ରଥଗଡା ଠାରୁ ଚନ୍ଦନ ଯାତ୍ରା ତୀର୍ଥଯାତ୍ରୀ ମାନେ ସିଧା ଦେଖିପାରିବେ । ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗର ମଧ୍ୟରେ ଥିବା ବିନ୍ଧ୍ୟବାସିନୀ, ଭବାନୀଶଙ୍କର, ଶୁକଶାରୀ ଓ ମୋହିନୀ ଆଦି ମନ୍ଦିର ମଧ୍ୟ ଯାତ୍ରୀମାନେ ଦେଖି ପାରିବେ ।
ଐତିହାସିକ ଦଲିଲରୁ ଜଣାଯାଏ ଯେ 350 ବର୍ଷ ପୂର୍ବେ ଲିଙ୍ଗରାଜ ମନ୍ଦିର ରଥଗଡାଠାରୁ ବିନ୍ଦୁସାଗର ପର୍ଯ୍ୟନ୍ତ କେବଳ ମନ୍ଦିର ହିଁ ଥିଲା । ଅନ୍ୟ କୌଣସି ସ୍ଥାୟୀ ନିର୍ମାଣ ନ ଥିଲା । 350 ବର୍ଷ ପରେ ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗର ନୂଆ ରୂପ ନେବାକୁ ଯାଉଛି । ଏକାମ୍ର ଯୋଜନାରେ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ, Orientation Centre, Parking, Food Plaza, ଭଜନ ମଣ୍ଡପ ସହିତ ଐତିହ୍ୟ ପୁଷ୍କରିଣୀର ପୁନରୁଦ୍ଧାର, କେଦାରଗୌରୀ ପୁଷ୍କରିଣୀର ଜଳନିଷ୍କାସନ ବ୍ୟବସ୍ଥା, ଏକାମ୍ରବାସୀଙ୍କର ସୁବିଧା, ପରିବହନ ବ୍ୟବସ୍ଥା, ଜଳ ନଷ୍କାସନ, ବର୍ଜ୍ୟବସ୍ତୁ ନିଷ୍କାସନ ଆଦି ବିଭିନ୍ନ ବିଷୟ ଉପରେ ଧ୍ୟାନ ଦିଆଯାଇ ପ୍ରସ୍ତୁତ କରାଯାଇଛି ।

ଅନନ୍ୟ କାରୁକାର୍ଯ୍ୟ ସୁଶୋଭିତ ମନ୍ଦିର, ଐତିହ୍ୟ ନଗରୀ ଭୁବନେଶ୍ବରର ଗରିମାକୁ ଆହୁରି ବୃଦ୍ଧି କରିବା ସହିତ ୟୁନେସ୍କୋର ବିଶ୍ବ ଐତିହ୍ୟସ୍ଥଳ ତାଲିକାରେ ଭୁବନେଶ୍ବରକୁ ସ୍ଥାନିତ କରିବା ପାଇଁ ଦାବୀକୁ ଅଧିକ ମଜବୁତ କରିବ ବୋଲି ଆଶା କରାଯାଏ । ପୁରୀ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ପରେ ଏକାମ୍ରକ୍ଷେତ୍ର ଯୋଜନା ହେଉଛି ରାଜ୍ୟ ସରକାରଙ୍କର 5T କାର୍ଯ୍ୟକ୍ରମ ଅନ୍ତର୍ଗତ ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ । ଏକାମ୍ରକ୍ଷେତ୍ରର ସାଂସ୍କୃତିକ ଐତିହ୍ୟର ଅନ୍ୟତମ ଆକର୍ଷଣ, ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରୀ, ଅଶୋକାଷ୍ଟମୀ ରଥଯାତ୍ରା ଓ ଶୀତଳ ଷଷ୍ଠୀକୁ ଜାତୀୟ କ୍ୟାଲେଣ୍ଡର(National Calender of Festivals) ରେ ସ୍ଥାନିତ ପାଇଁ ପଦକ୍ଷେପ ନିଆଯିବ। ।
ଏହି କାର୍ଯ୍ୟ ଏକ ବର୍ଷ ମଧ୍ୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଲୋଚନାରେ ଅଂଶଗ୍ରହଣ କରି ସୁଚିନ୍ତିତ ମତାମତ ରଖିଥିଲେ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍ ଆଲୋଚନାକୁ ସଂଯୋଜନା କରିଥଲେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶା ସାହୁ, ଇଟିଭି ଭାରତ