ଭୁବନେଶ୍ବର: ରାଜ୍ୟରେ ଜାରି ରହିିଛି କୋରୋନା ସଂକ୍ରମଣ ଦ୍ବିତୀୟ ଲହରୀ । ଏହାରି ମଧ୍ୟରେ ବୁଧବାର ଲକଡ଼ାଉନ ନେଇ ନିଷ୍ପତ୍ତି ନେବେ ରାଜ୍ୟ ସରକାର । ଏଥିପାଇଁ ଆରମ୍ଭ ହେଇଛି କାଉଣ୍ଟଡାଉନ୍ । ଆସନ୍ତା ୨୪ ଘଣ୍ଟା ଭିତରେ ଆସିପାରେ ଲକଡ଼ାଉନ ନେଇ ନୂଆ ନିଷ୍ପତ୍ତି । ଏନେଇ ବିଭିନ୍ନ ବିଭାଗ ସହିତ ବିଚାର ବିମର୍ଶ କରିଛନ୍ତି ରାଜ୍ୟ ସରକାର ।
ରାଜ୍ୟରେ କ୍ରମାଗତ ଭାବେ କୋଭିଡ଼ ସଂକ୍ରମଣ କମିବାରେ ଲାଗିଛି । ୧୪ଟି ଜିଲ୍ଲାରେ ସଂକ୍ରମଣ ୫ ପ୍ରତିଶତ ତଳେ ରହିଛି । ଅନେକ ଜିଲ୍ଲା ରେଡ଼ ଜୋନରୁ ଗ୍ରୀନ ଜୋନକୁ ଆସିଲାଣି । ଏହା ସହ ଗୋଟେ ପରେ ଗୋଟେ ଜିଲ୍ଲାରେ କମିବାରେ ଲାଗିଛି ସଂକ୍ରମଣ ଓ ପଜିଟିଭିଟି ହାର ।
ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ୧୫ ଦିନର ତଥ୍ୟ ନେଇ କେଉଁ ଜିଲ୍ଲାରେ ଅନଲକ ହେବ, ଆଉ କେଉଁଠି କଟକଣା ଜାରୀ ରହିବ ବିଚାର ବିମର୍ଶ କରୁଛନ୍ତି ରାଜ୍ୟ ସରକାର । ଆସନ୍ତାକାଲି ବିଭିନ୍ନ ଦିଗରୁ ବିଚାର କରି ଅନଲକ ନେଇ ନିଷ୍ପତ୍ତି ନେବେ ସରକାର । ୫ ପ୍ରତିଶତ ତଳକୁ ଥିବା ଜିଲ୍ଲାରେ ଅନଲକ କରିବା ନେଇ ନିଷ୍ପତ୍ତି ନେଇ ପାରନ୍ତି ସରକାର । ଏହାସହ ୫ରୁ ୧୦ ପ୍ରତିଶତ ଥିବା ଜିଲ୍ଲାରେ ଅନଲକ ସହ କଟକଣା ଜାରି ରହିବ । ୧୦ ପ୍ରତିଶତ ଉପରେ ଥିବା ଜିଲ୍ଲାରେ ଅନଲକ ନକରିବା ନେଇ ନିଷ୍ପତ୍ତି ନେଇପାରନ୍ତି ରାଜ୍ୟ ସରକାର ।
ଗଞ୍ଜାମ, ଗଜପତି, ସମ୍ବଲପୁର, ସୋନପୁର, ନୂଆପଡ଼ା, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳରେ ସଂକ୍ରମଣ ୫ ପ୍ରତିଶତରୁ କମ ରହିଛି । ତେଣୁ ଏହି ସବୁ ଜିଲ୍ଲାରେ ଅନଲକ କରିବେ ସରକାର । ସଂକ୍ରମଣ ଓ ପଜିଟିଭ ହାର ଅଧିକ ଥିବା ଖୋର୍ଦ୍ଧା, ଯାଜପୁର, ପୁରୀ, କଟକ, ବାଲେଶ୍ୱର, ଅନୁଗୁଳ, ନୟାଗଡ଼ରେ ଜିଲ୍ଲାରେ ଅନଲକ ପ୍ରକ୍ରିୟାକୁ ନେଇ ଦ୍ଵନ୍ଦରେ ରହିଛନ୍ତି ସରକାର । ତେଣୁ ଏହି ଜିଲ୍ଲାରେ କଟକଣା ଯୁକ୍ତ ଅନଲକ କରିବା ନେଇ ବିଚାର କରିପାରନ୍ତି ସରକାର ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ