ଭୁବନେଶ୍ବର: ବାତ୍ୟା ଓ ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିବା ପାଇଁ ବିମାନବନ୍ଦରରେ ପହଞ୍ଚିଲେ 7 ଜଣିଆ କେନ୍ଦ୍ରୀୟ ଟିମ । ଗୃହ ବିଭାଗର ଯୁଗ୍ମ ସଚିବ ସୁନିଲ ବନ୍ସଓ୍ବାଲଙ୍କ ନେତୃତ୍ବରେ ଆସିଛି ଏହି କେନ୍ଦ୍ରୀୟ ଟିମ । ଏହି କେନ୍ଦ୍ରୀୟ ଦଳରେ 7 ଜଣ ସଦସ୍ୟ ରହିଛନ୍ତି ସେମାନଙ୍କ ମଧ୍ୟରୁ 4 ଜଣ ଓଡ଼ିଆ ଅଧିକାରୀ ଅଛନ୍ତି । ଦୁଇଦିନ ଧରି ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ ।
ରବିବାର ଏହି ଟିମ ରାଜଧାନୀର ଏକ ଘରୋଇ ହୋଟେଲରେ ରାତ୍ରୀଯାପନ କରିଥିଲେ । ସୋମବାର 2 ପ୍ରଭାବିତ ଜିଲ୍ଲା ଓ ମଙ୍ଗଳବାର ଆଉ 2 ପ୍ରଭାବିତ ଜିଲ୍ଲା ଗସ୍ତ କରି କ୍ଷୟକ୍ଷତିର ଆକଳନ କରିବେ ଏହି ଟିମ୍ । ଅନୁଧ୍ୟାନ ପରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବ ଦଳ ।
ଏହି ଟିମ ଦୁଇ ଭାଗରେ ବିଭକ୍ତ ହୋଇ ଦୁଇ ଦିନ ଧରି ପ୍ରଭାବିତ ଜିଲ୍ଲାରେ ସ୍ଥିତି ଅନୁଧ୍ୟାନ କରିବେ । ତେବେ ଅନୁଧ୍ୟାନ ପରେ ମୁଖ୍ୟ ଶାସନ ସଚିବ ଓ ଏସଆରସିଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ତେବେ ତେବେ ବୁଧବାର ଏହି ଟିମ ଗସ୍ତ ସାରି ଦିଲ୍ଲୀ ଫେରିଯିବା ସହ କେନ୍ଦ୍ର ସରକାରଙ୍କୁ ବାତ୍ୟା କ୍ଷୟକ୍ଷତି ସମ୍ପର୍କିତ ତଥ୍ୟ ପ୍ରଦାନ କରିବ ।
ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ବାତ୍ୟାଞ୍ଚଳ ବୁଲି ଦେଖିବା ସହ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ପ୍ରତିନିଧି ମଣ୍ଡଳୀ ସହ ସମୀକ୍ଷା ବୈଠକ କରିଥିଲେ । ଦିଲ୍ଲୀ ଫେରି ଓଡ଼ିଶାକୁ 5 ଶହ କୋଟିର ସହାୟତା ରାଶି ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀ । କେନ୍ଦ୍ରୀୟ ଟିମ ସମୀକ୍ଷା କରିବା ପରେ ବାକି ସହାୟତା ଅର୍ଥ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଲାଗି ଦୀର୍ଘ ସ୍ଥାୟୀ ଯୋଜନା କରିବା ଲାଗି କେନ୍ଦ୍ର ନିକଟରେ ଦାବି ରଖିଛି ରାଜ୍ୟ । ଅନ୍ୟପଟେ ୟସ ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ପ୍ରାୟ 620 କୋଟି କ୍ଷୟକ୍ଷତି ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ