ଭୁବନେଶ୍ବର: ରାଜ୍ୟରେ କୋରୋନାର ଦ୍ବିତୀୟ ଲହରୀ ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏହି ସଂକଟପୂର୍ଣ୍ଣ ପରିସ୍ଥିତିରେ ଲୋକଙ୍କୁ ସହଯୋଗର ହାତ ବଢ଼େଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ( ଏବିଭିପି) ।

ସ୍ବାସ୍ଥ୍ୟଗତ ସମସ୍ୟାରେ ଥିବା ସାଧାରଣ ଲୋକଙ୍କୁ ଟେଲିଡ଼କ୍ଟର ସେବା ଯୋଗାଇ ଦିଆଯିବ । ଏବିଭିପିର ମେଡିଭିଜନ ଫୋରମ ତରଫରୁ ହୋଇଥିବା ଏହି ଟେଲିଡ଼କ୍ଟର ସେବା ଗୁରୁବାର ଠାରୁ ଆରମ୍ଭ ହୋଇଛି । ବିଭିନ୍ନ ପ୍ରକାରର ରୋଗରୁ ଉପଶମ ପାଇଁ ରୋଗୀମାନେ ସିଧାସଳଖ ଡାକ୍ତରଙ୍କ ପରାମର୍ଶ ନେଇ ପାରିବେ ।
ଏନେଇ ଏବିଭିପି ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ମେଡିଭିଜନର ରାଜ୍ୟ ସଂଯୋଜକ ଡ. ଦେବକୀନନ୍ଦନ ସେନାପତି ଓ ସହ ସଂଯୋଜକ ଅକ୍ଷୟ କୁଣ୍ଡୁ । ଏହାଦ୍ବାରା ବହୁତ ଲୋକ ଉପକୃତ ହେବେ ବୋଲି ଛାତ୍ର ସଂଗଠନ ଆଶା ରଖିଛି । ପ୍ରତ୍ୟେକ ଦିନ ଲୋକମାନେ ଫୋନ କଲ୍ ମାଧ୍ୟମରେ ନିଜ ସମସ୍ୟା ସମ୍ବନ୍ଧରେ ଅବଗତ କରାଇ ଏହାର ସମାଧାନ ପାଇପାରିବେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ