ଭୁବନେଶ୍ବର: ଭିତରେ କଳି, ବାହାରେ କୋଲାକଳି । ଗୃହ ଭିତରେ ନିଜ ଦବଦବା ଦେଖାଇବାକୁ ବିଜେପି ଓ କଂଗ୍ରେସ ଭିତରେ ଚାଲେ ଛକାପଞ୍ଝା। ଉଭୟ ଦଳର ନେତାଙ୍କ ଭିତରେ ଚାଲେ ବାକଯୁଦ୍ଧ । ଆରୋପ ଓ ପ୍ରତ୍ୟାରୋପ କରି ଗଣମାଧ୍ୟମର ଶୀର୍ଷ ମଣ୍ଡନ କରିଥାନ୍ତି । ସରକାରଙ୍କୁ ଘେରୁଥିବା ବିଧାୟକଙ୍କ ମଧ୍ୟରେ ଆଗଧାଡିରେ ଥାଆନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହୀନିପତି ଏବଂ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ । ହେଲେ ବାହାରେ ଚିତ୍ର ପୁରା ଓଲଟା ।
ଆଜି ଏମିତି କିଛି ଚିତ୍ର ଦେଖିବାକୁ ମିଳିଥିଲା ବିଧାନସଭା ଗୃହ ବାହାରେ । ଭାଇ-ଭାଇ ପରି ମନେ ହେଉଥିଲେ ତାରା-ବିଷ୍ଣୁ । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହୀନିପତି ଓ ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ ଉଭୟ କୋଳାକୋଳି ହୋଇଥିଲେ । ତାରା କହିଥିଲେ, ବିଷ୍ଣୁ ଭାଇ ହେଉଛନ୍ତି ମୋର ସବୁ ‘ମେଟ୍’(ଅର୍ଥାତ କ୍ଲାସମେଟଠୁ ଆରମ୍ଭ କରି ଆହୁରି କେତେ କ’ଣ) । ତାଙ୍କ ସହିତ ମୋର ବହୁତ ଭଲ ସମ୍ପର୍କ ।
କେବଳ ଏତିକି ନୁହେଁ, ବିଷ୍ଣୁଙ୍କୁ କୁଣ୍ଢାଇ ଖୁସି ପ୍ରକଟ କରିଥିଲେ ତାରା । ଚୁମ୍ବନ ବି ଦେଇଥିଲେ । ପ୍ରକାରନ୍ତରେ ବିଷ୍ଣୁ ମଧ୍ୟ ତାରାଙ୍କୁ କହିଥିଲେ, ତାରା କେବେ ଆଲୋକ ଦିଏ ନାହିଁ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ