ଭୁବନେଶ୍ବର: ଓଡିଶା ଫେରିଲା ମିଛ ଅପହରଣର ନାଟକ ରଚିଥିବା ସ୍ବିଗି ବୟ ପତିତ ପାବନ ପୃଷ୍ଟି (ଚିକୁ) । ଫେରାର୍ ହୋଇଥିବା ଝିଅ ସହ ଓଡିଶା ଆଣିଛି ଧଉଳି ଥାନା ପୋଲିସ ଓ ସ୍ପେଶାଲ ସ୍କୁୱାର୍ଡ଼ର ୪ ଜଣିଆ ଟିମ । ଅନ୍ୟପଟେ କାହାଣୀ ଆଉ ଏକ ନୂଆ ମୋଡ ନେଇଛି । ଫେରାର୍ ଥିବା ସ୍ବିଗି ବଏଙ୍କ ପତ୍ନୀ ତାଙ୍କ ସପକ୍ଷରେ ବାହାରିଛନ୍ତି । ସେ ଝିଅ କିଏ ମୁଁ ଚିହ୍ନିନି । ମୋ ସ୍ବାମୀ ନିର୍ଦ୍ଦୋଶ, ସେ କିଛି କରିନାହାନ୍ତି, ତାଙ୍କୁ ଛାଡୁ ଦିଅନ୍ତୁ ବୋଲି ସ୍ବିଗି ବଏଙ୍କ ପତ୍ନୀ ଦାବି କରିଛନ୍ତି ।
ତେବେ ଥାନାରେ ପହଞ୍ଚିଛନ୍ତି ଚିକୁନଙ୍କ ପରିବାର । ମୋ ସ୍ଵାମୀ ଖାଲି ମୋର ବୋଲି କହିଛନ୍ତି ଚିକୁନଙ୍କ ପତ୍ନୀ ଅହଲ୍ୟା । ଅନ୍ୟପଟେ ତାଙ୍କ ମାଆ କହିଛନ୍ତି ମୋ ପୁଅ ମୋ ବୋହୁ ଏକାଠି ରହନ୍ତୁ । ଆମେ 2 ଟା ବୋହୂ ରଖି ପାରିବୁନି । ଅନ୍ୟ ପଟେ ଝିଅ ଉପରେ ଦୋଷ ଲଦିଛନ୍ତି ଚିକୁନଙ୍କ ଭାଇ । ଚିକୁନ୍ ବାହା ହୋଇଥିଲା ବୋଲି ସେ ଝିଅ ଜାଣିଥିଲା । ତେଣୁ ଚିକୁନର କିଛି ଭୁଲ୍ ନାହିଁ ସେ ଝିଅର ଭୁଲ୍ । ସେ ଜାଣି ଶୁଣି ତା ଜୀବନକୁ ନଷ୍ଟ କରିଛି । ଆମ ଚିକୁନ୍ ତା ସ୍ତ୍ରୀ ସହ ରହୁ ବୋଲି ମଧ୍ୟ ତାଙ୍କ ଭାଇ କହିଥିଲେ । ଅନ୍ୟପଟେ ଏବେ ବି ଚିକୁନ୍ ଏବଂ ତାଙ୍କ ପ୍ରେମିକାକୁ ଥାନାରେ ରଖି ପଚରାଉଚରା କରୁଛି ପୋଲିସ । ଏହା ସହ ଚିକୁନଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରିପାରେ ଧଉଳି ପୋଲିସ ।
ଅପହରଣ ନାଟକ ପରେ ସୋମବାର ମଧ୍ୟପ୍ରଦେଶର କଟନୀ ଜିଆରପି ପୋଲିସ ସେମାନଙ୍କୁ ଠାବ କରି କମିଶନରେଟ ପୋଲିସକୁ ଜଣାଇଥିଲେ । ଆଜି(ଗୁରୁବାର) ସକାଳେ ସେମାନେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏହା ସହିତ ଏମାନଙ୍କୁ ଓଡିଶା ବାହାରକୁ ଖସିବାରେ ସହଯୋଗ କରିଥିବା ଯୁବତୀଙ୍କୁ ଗୋପ ଥାନାରେ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ପତିତ ଯେଉଁ ଜାଗାରେ ଅପହରଣର ମିଛ ନାଟକ ରଚିଥିଲେ ସେ ଜାଗାକୁ ନେଇ ଅଧିକ ତଦନ୍ତ କରିପାରେ ପୋଲିସ । ଏନେଇ ଧଉଳି ଥାନା ପୋଲିସ ଗୋପ ପୋଲିସ ସହ ଯୋଗାଯୋଗ କରୁଥିବା ଜଣାପଡିଛି ।
ସୂଚନା ଅନୁଯାୟୀ କିଛିଦିନ ତଳେ ସମ୍ପୃକ୍ତ ସ୍ବିଗି ବୟ ଚିକୁନ୍ ନିଜେ ଏକ ଝିଅ ସହ ଫେରାର୍ ହୋଇଯାଇ ଅପହରଣର ନାଟକ ରଚିଥିଲା । ପତ୍ନୀଙ୍କୁ ଏକ ଭଏସ ମେସେଜ ଦେଇଥିଲେ । ତାଙ୍କୁ ଧଉଳି ଥାନା ଅଧୀନ ଦୟା ନଦୀ କଡରୁ ଛୁରୀ ଦେଖାଇ ଭୟଭୀତ କରାଇ ଟ୍ରାକ୍ଟରରେ ଅପହରଣ କରାଯାଇଥିବା ଶନିବାର ସ୍ତ୍ରୀଙ୍କୁ ମେସେଜ କରିଥିଲା ସମ୍ପୃକ୍ତ ସ୍ବିଗି ବଏ । ମେସେଜ ପାଇବା ପରେ ଧଉଳି ଥାନାରେ ଅଭିଯୋଗ କରିଥିଲେ ପତ୍ନୀ । ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ ।
ଅନ୍ୟପଟେ ସ୍ବିଗି ବଏକୁ ପତ୍ନୀଙ୍କ ସାଙ୍ଗ ଅପହରଣ କରି ନେଇଥିବା ସନ୍ଦେହ କରିଥିଲେ ତାଙ୍କ ଭାଇ । ତେବେ ଏହି ସ୍ବିଗି ବଏଙ୍କୁ ପୋଲିସ ମଧ୍ୟପ୍ରଦେଶରୁ ଠାବ କରିବା ପରେ ଘଟଣା ସମ୍ପୂର୍ଣ୍ଣ ଭିନ୍ନ ବୋଲି ପୋଲିସ ସ୍ପଷ୍ଟ କରିଥିଲା । ଉକ୍ତ ଯୁବକଙ୍କୁ କେହି ଅପହରଣ ନୁହେଁ ବରଂ ସେ ନିଜେ ଏପରି ଷଡଯନ୍ତ୍ରର ମୁଖ୍ୟ ମାଷ୍ଟରମାଇଣ୍ଡ ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡିଥିବା ପୋଲିସ କହିଥିଲା ।ଏହାପରେ ତଦନ୍ତ କରି ପୋଲିସ ଆଜି(ଗୁରୁବାର) ସ୍ବିଗି ବଏ ଏବଂ ଯେଉଁ ଝିଅ ସହ ଫେରାର୍ ହୋଇଥିଲା ତାଙ୍କୁ ମଧ୍ୟ ପ୍ରଦେଶରୁ ଓଡିଶା ଆଣିଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ