ଭୁବନେଶ୍ବର: ଆଜିକାଲି ସମାଜରେ ସରକାର ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି । କେତେକ କୁଆଡେ ଫାଇଲ ତଳେ ଚାପି ହୋଇ ଯାଉଥିବାବେଳେ ଆଉ କେତେକ କେବଳ ଭାଷଣ ବାଜିରେ ତିଷ୍ଠି ରହୁଛି । ପରିବେଶ ସ୍ୱଚ୍ଛ ରଖିବା ପାଇଁ ସମସ୍ତେ ଭାଷଣ ବାଜି କରୁଥିବା ବେଳେ କେବଳ ଲୋକ ଦେଖାଇବାକୁ ସ୍ୱଚ୍ଛତା ଅବଲମ୍ବନ କରୁଥିବା ଅନେକ ସମୟରେ ଦେଖିବାକୁ ମିଳୁଛି । ଏପରିକି ଅନେକ ସ୍ଥାନରେ ପାଖରେ ଅଳିଆ ଆବର୍ଜନା ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇବାକୁ ବ୍ୟବସ୍ଥା ଥିବା ସତ୍ତ୍ୱେ ଲୋକମାନେ ସେଥିରେ ନ ପକାଇ ନଳା ଓ ରାସ୍ତାକଡ଼ରେ ପକାଇ ଥାଆନ୍ତି। ସେହିଭଳି ପରିବେଶ ସୁରକ୍ଷା ସମ୍ପର୍କିତ ସଭା ପରେ ସେହିଠାରେ ଲୋକମାନେ ଅନେକାଂଶରେ ପରିବେଶ ପ୍ରଦୂଷଣ ପୂର୍ବକ ଅଳିଆ ଆବର୍ଜନା ଗଦା କରିଥାନ୍ତି ।
ବିଦ୍ୟାକନକ ସୃଜନାନୁଷ୍ଠାନ ପକ୍ଷରୁ 3 ଦିବସୀୟ ନାଟକ ମହୋତ୍ସବ ସ୍ଥାନୀୟ ରବିନ୍ଦ୍ରମଣ୍ଡପରେ ଆରମ୍ଭ ହୋଇଛି । ଯେଉଁଥିରେ ପ୍ରଥମ ସନ୍ଧ୍ୟାରେ ନାଟକ "ଅଳିଆ ଭିତରେ କାଳିଆ" ମଞ୍ଚସ୍ତ ହୋଇଛି । ଯାହାର ନାଟ୍ୟ ରଚନା ଦିଲ୍ଲୀପ ବଲବନ୍ତରାୟ କରିଥିବାବେଳେ ଏହାର ନିର୍ଦ୍ଦେଶନା ଜଗଦୀଶ ପ୍ରସାଦ ମହାରଣା ଦେଇଛନ୍ତି । ଅନୁଷ୍ଠାନର କଳାକାରଙ୍କ ଦ୍ବାରା ପ୍ରଦର୍ଶିତ ଏହି ନାଟକକୁ ଦର୍ଶକମାନେ ବେଶ ଆଗ୍ରହର ସହ ଉପଭୋଗ କରୁଥିବାବେଳେ ଏଥିରେ ସମାଜର ପ୍ରତିଟି ବ୍ୟବସ୍ଥାର ନିଖୁଣ ଚିତ୍ରକୁ କଳାକାରମାନେ ଉପସ୍ଥାପିତ କରିଥିବା ସନ୍ଧ୍ୟାର ଅତିଥିମାନେ ପ୍ରକାଶ କରିଛନ୍ତି ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ