ଭୁବନେଶ୍ବର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡିକୁ ଆକ୍ରମଣ ଘଟଣାରେ କଂଗ୍ରେସ ନେତା ସୁର ରାଉତରାୟ ଦେଲେ ୨୪ ଘଣ୍ଟାର ମହଲତ୍ । ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ ସୁର କହିଛନ୍ତି ଯେ, ୨୪ଘଣ୍ଟା ମଧ୍ୟରେ ଦୋଷୀଙ୍କୁ ଗିରଫ କରା ନଗଲେ ମୁଖ୍ୟମନ୍ତ୍ରୀଙ୍କ ଗାଡିକୁ ଆକ୍ରମଣ କରାଯିବ । କଂଗ୍ରେସ ଆଇନକୁ ହାତକୁ ନେବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ।
ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଟ୍ବିଟରରେ ଜଣାଇଛନ୍ତି ଯେ ଏହି ଆକ୍ରମଣ ବିଜେପି ଯୁବମୋର୍ଚ୍ଚା କର୍ମୀ ମାନେ କରିଛନ୍ତି । ଦୋଷୀଙ୍କୁ ତୁରନ୍ତ ଗିରଫ ପାଇଁ ଦାବି ମଧ୍ୟ କରିଛନ୍ତି । ସେପଟେ ଏହାର ଜବାବ ରଖିଛି ବିଜେପି । ବିଜେପି ସାଧାରଣ ସମ୍ପାଦକ ପୃଥିରାଜ୍ ହରିଚନ୍ଦନ କହିଛନ୍ତି ଯେ, ରାଜନୈତିକ ହିଂସା କେବେ ମଧ୍ୟ ଗ୍ରହଣୀୟ ନୁହେଁ, ଏହାକୁ ନିନ୍ଦା କରିବା ଦରକାର । ବିଜେପି କେବେ ହିଂସାକାଣ୍ଡରେ ବିଶ୍ୱାସ କରେନି । ବିଜେପି ସହ ନିଷ୍ଠାର ସହ ଜଡିତ କୌଣସି ବ୍ୟକ୍ତି ଏଭଳି ହିଂସାକାଣ୍ଡ କରିବେ ନାହିଁ ।
ଗତ ପଞ୍ଚାୟତ ନିର୍ବାଚନରେ ୧୫ ଜଣ ବ୍ୟକ୍ତି ରାଜନୈତିକ ହିଂସା ଯୋଗୁ ମୃତ୍ୟୁବରଣ କରିଥିଲେ କିନ୍ତୁ କଂଗ୍ରେସ ଏହି ପ୍ରସଙ୍ଗ କେବେ ଉଠାଇନଥିଲା । ଏବେ କୁଳମଣି ବରାଳ ଯିଏ କି ତାଙ୍କ ଦଳରେ ପୂର୍ବରୁ ଥିଲେ ତାଙ୍କ ହତ୍ୟାରେ ମଧ୍ୟ ଯେଉଁ ଆଭିମୁଖ୍ୟ ରଖିବା କଥା ରଖିଲେନି ବୋଲି ପୃଥ୍ବୀରାଜ କହିଛନ୍ତି । ବିଜୁ ଜନତା ଦଳ ସହ ତାଙ୍କର ଯେଉଁ ଅଲିଖିତ ଗଠବନ୍ଧନ ରହିଛି, ଯାହା କାରଣରୁ ୨୦୦୯ରେ ବିଜେଡି ସରକାରକୁ ବଞ୍ଚେଇଥିଲେ, ସେଥିପାଇଁ ଏ ପ୍ରକାର ଅଭିଯୋଗ ଆଣୁଛନ୍ତି । ବିଜେଡିକୁ ଘଣ୍ଟ ଘୋଡାଇବା ଲାଗି ଏଭିଳି ମନ୍ତବ୍ୟ ଦେଉଛି କଂଗ୍ରେସ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷେ ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ଆକ୍ରମଣ କରିବା ଘଟଣାରେ ବିଜେଡି ମଧ୍ୟ ପ୍ରତିକ୍ରିୟା ରଖିଛି । ବିଜେଡି ମୁଖପାତ୍ର ଲେଲିନ ମହାନ୍ତି କହିଛନ୍ତି ଯେ, ବିଜେପି ଯୁବମୋର୍ଚ୍ଚାର ଜେନେରାଲ ସେକ୍ରେଟାରୀ ଓ ଅନ୍ୟ ୫ ଜଣ ବିଜେପି କାର୍ଯ୍ୟକର୍ତ୍ତା ପିସିସି ସଭାପତିଙ୍କୁ ଆକ୍ରମଣ କରିଛନ୍ତି । ଏ ଖବର ଶୁଣି ଆମେ ସ୍ତବ୍ଧ କାରଣ ରାଜନୀତିରେ ହିଂସାର ସ୍ଥାନ ନାହିଁ। ଏହି ଘଟଣାକୁ ଦୃଢ ଭାବରେ ନିନ୍ଦା କରୁଛୁ ବୋଲି କହିଛନ୍ତି ଲେଲିନ ମହାନ୍ତି ।
ଏହାସହ ସେ କହିଛନ୍ତି, ପ୍ରତିଦିନ ନୀତି ଆଦର୍ଶର କଥା କହୁଥିବା ଦଳ ଏଭଳି ଆକ୍ରମଣ କରୁଛନ୍ତି । ବିଜେପିର ନାଁ ନ ନେଇ ଲେଲିନ କହିଛନ୍ତି ଯେ ଗୋଟିଏ ଦଳ କ୍ଷମତାକୁ ନଆସୁଣୁ ଯୁବ ମୋର୍ଚ୍ଚାଙ୍କୁ ଲଗେଇ ଅପରାଧ କରୁଛି ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ