ଭୁବନେଶ୍ବର: କୋରୋନା ମୁକାବିଲା ନେଇ ବିରୋଧୀ ଦଳ ବୈଠକ ଡାକିଥିଲା ସ୍ଵାସ୍ଥ୍ୟ ବିଭାଗ । ଏନେଇ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସେ କହିଛନ୍ତି ଯେ , ଆମକୁ କହିବାକୁ ସୁଯୋଗ ଦିଆଗଲା ନାହିଁ । କେବଳ ମୁଖ୍ୟ ଶାସନ ସଚିବ ୪ ମାସ ମଧ୍ୟରେ କଣ କରିଛନ୍ତି ସେ କଥା କହିଲେ ।
ସୁର କହିଛନ୍ତି ଯେ, ତାଙ୍କର ପବ୍ଲିସିଟ୍ ପାଇଁ ବୈଠକ ଡକାଯାଇଥିଲା । କେବଳ ବିରୋଧୀ ଦଳ ନେତା ଓ କଂଗ୍ରେସ ବିଧାୟକ ଦଳ ନେତାଙ୍କୁ କହିବାର ସୁଯୋଗ ଦିଆଯାଇଥିଲା । କୌଣସି ସଜେସନ ସରକାର ନେଲେନି । ଏପରିକି କହିବାର ସୁଯୋଗ ଦିଆଗଲା ନାହିଁ । କେବଳ ତାଙ୍କର ରିପୋର୍ଟ ଦେଲେ, ପବ୍ଲିସିଟ୍ କଲେ, ନବଦାସ ଧନ୍ୟବାଦ ଦେଲେ । ଏହାସହ ସେ ଅନଲକ 3 କୁ ନେଇ ମଧ୍ୟ ନିଜର ମତ ରଖିଛନ୍ତି । ସରକାର ସବୁ ଖୋଲା କରିଦିଅନ୍ତୁ , କଟକଣା ମଧ୍ୟରେ ସବୁ ଚାଲୁ , ଲୋକଙ୍କୁ ଆଉ ଘରେ ବନ୍ଦ ରଖନ୍ତୁ ନାହିଁ ବୋଲି ସେ କହିଛନ୍ତି ।
ହୋଟେଲ, ଛୋଟ ଦୋକାନ ଖୋଲିବା ଉଚିତ । ଲୋକେ କାମ କରିବା ଉଚିତ । ଏହାସହ ପୋଲିସ ବାଡେଇବା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ , ସାଧାରଣ ଲୋକଙ୍କୁ ପୋଲିସ ମାଡ ମାରିଲେ ଆନ୍ଦୋଳନ ହେବ, ୪ ମାସ ଧରି ଲୋକ ସହିଲେଣି । ଚା ଦୋକାନ ପାନ ଦୋକାନ ବନ୍ଦ , କିନ୍ତୁ ମଦ ଦୋକାନ ଖୋଲା କାହିଁକି ବୋଲି ପ୍ରଶ୍ନ କରିଛନ୍ତି ସୁର ରାଉତରାୟ ।
ସେପଟେ ବୈଠକକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର । ସମସ୍ତେ ମିଳିମିଶି କୋରୋନା ମୁକାବିଲା କରିବା ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ