ଭୁବନେଶ୍ବର: ଦିନକୁ ଦିନ ନିମ୍ନଗାମୀ ହେବାରେ ଲାଗିଛି ରାଜ୍ୟର ଶିକ୍ଷା ବ୍ୟବସ୍ଥା । ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ସଫଳତା ହାର ଦିନକୁ ଦିନ କମିବାରେ ଲାଗୁଛି । ଏପରିକି ପିଲାମାନଙ୍କ ଜ୍ଞାନ ଆହରଣ କ୍ଷମତା କମିବା ସହିତ ରୁଚି ମଧ୍ୟ କମିବାରେ ଲାଗିଛି । ତେଣୁ ପ୍ରାଥମିକ ଶିକ୍ଷା ସ୍ତରରେ ପ୍ରଥମ ଶ୍ରେଣୀରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ପୁନଃ ପାସ ଫେଲ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରିଛି ଏସୟୁସିଆଇ ।
ଆଜି ଏନେଇ ସଂସ୍ଥା ପକ୍ଷରୁ ରାଜ୍ୟ ସଚିବାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇ ସରକାରଙ୍କ ନିକଟରେ ଦାବି କରାଯାଇଛି । ସରକାର ପ୍ରାଥମିକ ସ୍ତରରେ ପାସ ଫେଲ ବ୍ୟବସ୍ଥା ବନ୍ଦ କରିବା ପର ଠାରୁ ଏସୟୁସିଆଇ ପକ୍ଷରୁ ବାରମ୍ବାର ଏହାର ପୁନଃପ୍ରଚଳନ କରାଯିବାକୁ ଦାବି କରାଯାଉଥିଲା । ସମ୍ପ୍ରତି ଏନେଇ ସରକାର ଗଣମାଧ୍ୟମରେ ବିବୃତି ପ୍ରଦାନ କରି ଦ୍ଵିତୀୟ ଶ୍ରେଣୀରୁ ଲାଗୁ କରିବାକୁ ସୂଚନା ଦେଇଛନ୍ତି । ଯାହାକୁ ସଂଘ ପକ୍ଷରୁ ସମର୍ଥନ କରାଯିବା ସହିତ ତୁରନ୍ତ ଏହାକୁ ସରକାରୀ ସ୍ତରରେ କାର୍ଯ୍ୟକାରୀ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।
ତେବେ ଏହାକୁ ଦ୍ଵିତୀୟ ଶ୍ରେଣୀରୁ ନକରି ପ୍ରଥମରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିବା ପାଇଁ ଅନୁଷ୍ଠାନର ସଦସ୍ୟ ରାଜେନ୍ଦ୍ର ବର୍ମା ପ୍ରକାଶ କରିଛନ୍ତି । ଆଜିର ଏହି ବିକ୍ଷୋଭ ପ୍ରଦର୍ଶନରେ ଭୁବନେଶ୍ୱର ଜିଲ୍ଲା ସାଂଗଠନିକ କମିଟିର ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ସମେତ ଅନେକ ସଦସ୍ୟ ଭାଗ ନେଇ ଏହାର ସୁଫଳ ଉପରେ ଆଲୋକପାତ କରିବା ସହିତ ସରକାରଙ୍କ ଉପରେ ବଳ ପ୍ରୟୋଗ କରିବାକୁ ସମସ୍ତ ଜନସାଧାରଣ ଏକତ୍ରିତ ହେବାକୁ କହିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ