ଭୁବନେଶ୍ବର: ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ବାତିଲ ଏବଂ ଘୁଞ୍ଚିଲା ଦ୍ଵାଦଶ ଶ୍ରେଣୀ ପରୀକ୍ଷା । ବୁଧବାର ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ। ଏନେଇ ଛାତ୍ରଛାତ୍ରୀ, ଅଭିଭାବକ, ଅଭିଭାବକ ସଂଘ ଓ ଶିକ୍ଷାବିତଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଛାତ୍ରଛାତ୍ରୀ ଓ ଅଭିଭାବକ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିକୁ ସ୍ବାଗତ କରିଥିବା ବେଳେ ପରୀକ୍ଷାକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି ନା ଅନଲାଇନରେ ପୁଣି ପରୀକ୍ଷା କରାଯିବ ସେନେଇ ସରକାର ସ୍ପଷ୍ଟୋକ୍ତି ରଖନ୍ତୁ ବୋଲି ଅନୁରୋଧ କରିଛନ୍ତି । ଏପଟେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିକୁ ଅଭିଭାବକ ସଂଘ ଓ ଶିକ୍ଷାବିତ୍ ଦୃଢ ନିନ୍ଦା କରିଛନ୍ତି ।
ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପାଇଁ ସ୍ୱତନ୍ତ୍ର ମାନଦଣ୍ଡ ନିର୍ଦ୍ଧାରଣ କରାଯିବ। ମାନଦଣ୍ଡକୁ ଆଧାର କରି ପରୀକ୍ଷା ଫଳ ପ୍ରକାଶ ପାଇବ। ଯେଉଁମାନେ ଫଳାଫଳରେ ଅସନ୍ତୋଷ ବ୍ୟକ୍ତ କରିବେ ସେମାନଙ୍କୁ ପୁଣି ଥରେ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯିବ।
ସେହିପରି ଦ୍ଵାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଆସନ୍ତା ଜୁନ ମାସରେ କୋରୋନା ସ୍ଥିତିରେ ସୁଧାର ଆସିଲେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ଚଳିତ ବର୍ଷ କୋରୋନା ଦ୍ବିତୀୟ ଲହରୀରେ ଅଧିକ ସଂକ୍ରମଣ ହେଉଥିବାରୁ ବିଭିନ୍ନ ରାଜ୍ୟରେ ସ୍କୁଲ ବନ୍ଦ ରହିଛି। ସେଥିପାଇଁ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ