ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ଦର୍ପଣ ଟେଷ୍ଟ ପେପର ଯୋଗାଇ ଦେଇଛି ଗଣଶିକ୍ଷା ବିଭାଗ। ହେଲେ ସଂକ୍ଷିପ୍ତ ପ୍ରଶ୍ନକୁ ଆଧାର କରି ପରୀକ୍ଷା ଦର୍ପଣ ଓ କ୍ଳାସ ରୁମ ପାଠ ପଢ଼ାକୁ ନେଇ ପରୀକ୍ଷାର୍ଥୀଙ୍କୁ ଦ୍ଵନ୍ଦ କରାଯାଉଛି।
ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ଦର୍ପଣ ବହି ଯୋଗାଇ ଦେଉଛି ଗଣଶିକ୍ଷା ବିଭାଗ । ଫେବୃଆରୀ 15 ସୁଦ୍ଧା ରାଜ୍ୟର ମୋଟ 6 ଲକ୍ଷ 20 ହଜାର 508 ଜଣ ଛାତ୍ରଛାତ୍ରୀଙ୍କୁ ଏହି ପରୀକ୍ଷା ଦର୍ପଣ ବହି ଯୋଗାଇ ଦିଆଯିବ । ଏନେଇ ଶିକ୍ଷାବିତ୍ କମଳ ପ୍ରସାଦ ମହାପାତ୍ର କହିଛନ୍ତି ଯେ, ଏଭଳି କରିବାର ଆବଶ୍ୟକତା କାହିଁକି ପଡିଲା। ତେବେ ଏହାକୁ ନେଇ ସେ ଅସନ୍ତୋଷ ଜାହିର କରିଛନ୍ତି।
ମୂଳରୁ ବୋର୍ଡ଼ ପରୀକ୍ଷାକୁ ଲକ୍ଷ ରଖି ଅନଲାଇନ ମାଧ୍ୟମରେ ପାଠପଢା ଆରମ୍ଭ ହୋଇଥିଲା ବେଳେ ବର୍ଷ ଅଧାରେ 30 % କମିଲା ସିଲାବସ। ସେଇ ଆଧାରରେ ପୁନଃ ମୂଳରୁ ପାଠ୍ୟକ୍ରମ ଆରମ୍ଭ ହୋଇଥିଲା । ଏବେ ବର୍ଷ ଶେଷରେ ପରୀକ୍ଷାକୁ ଆଉ ମାତ୍ର ୨ ମାସ ଥିବାବେଳେ କେବଳ ମଲ୍ଟିପୁଲ ଚଏସ ଆଧାରରେ ପୁଣି ପିଲାଙ୍କୁ ପ୍ରସ୍ତୁତ କରିବା ଏକ ପ୍ରକାର କଷ୍ଟକର ହୋଇପଡିବ । ଏପରିକି ପିଲାଙ୍କ ପକ୍ଷେ ମଧ୍ୟ ବାରମ୍ବାର ପରିବର୍ତ୍ତିତ ଢାଞ୍ଚାରେ ପଢିବା କଷ୍ଟସାଧ୍ୟ ହେବ ବୋଲି ସେ କହିଛନ୍ତି ।
ଅନ୍ୟପଟେ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କର ଅନଲାଇନରେ 40 ପ୍ରତିଶତ ପାଠପଢା ସରିଛି । ସ୍କୁଲ ଖୋଲିଲା ପରେ ପିଲାଙ୍କୁ ପାଠ ପଢ଼ାଯାଉଛି । ପିଲାଙ୍କୁ ପରୀକ୍ଷା ଦର୍ପଣ ପଢିଲେ ପରୀକ୍ଷାରେ କି କି ପ୍ରକାରର ପ୍ରଶ୍ନପତ୍ର ଆସିବ ସେନେଇ ମଧ୍ୟ ନିଜକୁ ପ୍ରସ୍ତୁତ ରଖିବେ।
ବହି ପଢିବା ଦ୍ବାରା ପିଲାଙ୍କର ଜ୍ଞାନ ବଢିବା ସହ ପରୀକ୍ଷାରେ ଭଲ ପଦର୍ଶନ କରିପାରିବେ । ଏପଟେ ଜଣେ ଛାତ୍ର କହିଛନ୍ତି ଯେ ପରୀକ୍ଷା ଦର୍ପଣ ବହିଟି ଦିଆଯାଉଥିବାରୁ ଶିକ୍ଷା ବିଭାଗକୁ ଧନ୍ୟବାଦ ଦେଇଛନ୍ତି। ହେଲେ କିଭଳି ପ୍ରଶ୍ନ ପତ୍ର ଆସିବ କିଭଳି ଭାବରେ ପ୍ରଶ୍ନ ଉପରେ ଧ୍ୟାନ ଦିଆଯିବ। ଏପଟେ କ୍ଳାସ ରୁମରେ ପାଠପଢ଼ା ଅନ୍ୟପଟେ ପରୀକ୍ଷା ଦର୍ପଣ। ଏହାକୁ ନେଇ ମନରେ ଭୟ ଓ ମାର୍କକୁ ନେଇ ଦ୍ଵନ୍ଦରେ ରହିଛନ୍ତି ଛାତ୍ରଛାତ୍ରୀ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ