ଭୁବନେଶ୍ବର: ମଙ୍ଗଳବାର ବିଧାନସଭା ମୌସୁମୀ ଅଧିବେଶନ । ସେପଟେ ଶେଷ ହୋଇଛି ପ୍ରମୁଖ ତିନି ରାଜନୈତିକ ଦଳର ବିଧାୟକ ଦଳ ବୈଠକ । ଅପରାହ୍ନରେ ବିଜେପିର ବିଧାୟକ ଦଳ ବୈଠକ ଶେଷ ହୋଇଥିବାବେଳେ ସଂନ୍ଧ୍ୟାରେ ବସିଥିଲା ବିଜେଡ଼ି ବିଧାୟକ ଦଳ ବୈଠକ । ସମସ୍ତ ଦଳ ବିଧାନସଭା ଅଧିବେଶନକୁ ନେଇ ପ୍ରସ୍ତୁତ କରିଛି ରଣନୀତି । ସେପଟେ କୋଭିଡ ସମୟରେ ଅଧିବେଶନ ନେଇ ଦଳୀୟ ବିଧାୟକଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକ ଦେଇଛନ୍ତି ପରାମର୍ଶ । ସାମାଜିକ ଦୂରତା ଓ ମାସ୍କ ପିନ୍ଧବା ସହ ବିରୋଧୀଙ୍କ ରଣନୀତିକୁ ସାମ୍ନା କରିବାକୁ ନେଇ ନବୀନ ବୁଝାଇଛନ୍ତି ରଣନୀତି । ଅନ୍ୟପଟେ ବିରୋଧି କଂଗ୍ରେସର କୃଷି ବିଲର ଅଭିଯୋଗକୁ ଏନେଇ ପ୍ରତିକ୍ରିୟା ରଖି କୃଷି ଵିଲ ପ୍ରସଙ୍ଗରେ ବିଜେଡିର ନୀତି ସ୍ପଷ୍ଟ ବୋଲି କହିଛନ୍ତି ବିଧାୟକ ଅମର ଶତପଥୀ ।
ମୌସୁମୀ ଅଧିବେଶନରେ ବିଜୁଳି ଦର ବୃଦ୍ଧି, କୃତ୍ରିମ ବନ୍ୟା, ତୃଟିପୂର୍ଣ୍ଣ କୋଭିଡ୍ ପରିଚାଳନା, ପ୍ରବାସୀ ସମସ୍ୟା, ନୂତନ ବିଶ୍ଵବିଦ୍ୟାଳୟ ବିଲ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଦୁର୍ନୀତି, ଆୟୁଷ୍ମାନ ଯୋଜନାକୁ ଓଡ଼ିଶାରେ ସାମିଲ କରିବା ଆଦି ଲମ୍ବା ପ୍ରସଙ୍ଗ ନେଇ ବିଧାନସଭାକୁ ଯିବ ମୁଖ୍ୟ ବିରୋଧୀ ଦଳ ବିଜେପି । ଏହାସହ ରାଜ୍ୟବାସୀଙ୍କ ସମସ୍ୟା ନେଇ ସରକାରଙ୍କୁ ଘେରିବେ । ଏହାସହ ନାରୀ ନିର୍ଯାତନା ବିଦ୍ୟୁତ ବିଲ ଓ କୋଭିଡ଼ ପରିଚାଳନାରେ ଅନିୟମିତତାକୁ ମୁଖ୍ୟ ପ୍ରସଙ୍ଗ କରିବ । ସରକାରଙ୍କ ଅସଲ ଚେହେରା ଲୋଚନକୁ ଆଣିବ ଏନେଇ 22ଜଣିଆ ବିଧାୟକ ଦଳ ବୈଠକ ବସିଥିବା ବେଳେ ଏନେଇ ସୂଚନା ଦେଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।
ସେହିପରି ସରକାରକୁ ଘେରିବାକୁ ବିରୋଧୀ କଂଗ୍ରେସ କଣ ରଣ କୌଶଳ ରହିବ ସେନେଇ ଆଜି ଦଳୀୟ ବିଧାୟକ ଦଳ ବୈଠକରେ ଆଲୋଚନା ହୋଇଛି। ମାର୍ଚ୍ଚ ମାସ ଠାରୁ କୋରୋନା ମହାମାରୀ ଗ୍ରାସ କରିବା ପରେ ସରକାର କିପରି ଏହାର ମୁକାବିଲା କରିବାରେ ବିଫଳ ହୋଇଛନ୍ତି, ବନ୍ୟା ସମୟରେ ଲୋକମାନଙ୍କୁ ସହାୟତା ଦେବାକୁ କିପରି ହଡ଼ପ କରାଯାଇଛି । ଏହା ଉପରେ ଆଲୋଚନା ମଧ୍ୟକୁ ଆଣିବ ବୋଲି କଂଗ୍ରେସ କହିଛି । ଏହା ସହିତ ରାଜ୍ୟ ବିଜେଡି କେନ୍ଦ୍ର ସରକାରଙ୍କ କୃଷି ବିଲକୁ ସମର୍ଥନ ପ୍ରସଙ୍ଗ, ରାଜ୍ୟରେ ସାରର ଅଭାବ, ଚିଟ ଫଣ୍ଡ ଦୁର୍ନୀତି, ସିବିଆଇ ତଦନ୍ତ, ବିଶ୍ବ ବିଦ୍ୟାଳୟ ବିଲ, ଇଲେକ୍ଟ୍ରି ବିଲ ବୃଦ୍ଧି, ଓଟିଡିସିର ଘରୋଇ ଅନୁଷ୍ଠାନକୁ ବିକ୍ରି ଆଦି ଉପରେ କଂଗ୍ରେସ ଦଳ ଶୃଙ୍ଖଳିତ ଭାବେ ସରକାରଙ୍କ ଠାରୁ ଉତ୍ତର ମାଗିବ ବୋଲି ଦଳର ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ ଏବଂ ଲକ୍ଷ୍ମୀକାନ୍ତ ଦାସଙ୍କ ରିପୋର୍ଟ, ଇଟିଭି ଭାରତ