ଭୁବନେଶ୍ବର: ରାଜ୍ୟରେ ଏବେ ପିଡିଏସ ଚାଉଳ ଏବଂ କେନ୍ଦ୍ର ସରକାର ମେ ଓ ଜୁନ ମାସ ପାଇଁ ଦେଇଥିବା ଚାଉଳ ବଣ୍ଟାଯିବାର ଯୋଜନା ରହିଛି । ଗତ ମେ ୧ ତାରିଖରୁ କିଛି କିଛି ଜାଗାରେ ତାହା ବଣ୍ଟା ଆରମ୍ଭ ହୋଇସାରିଛି । ମାତ୍ର ଏହାକୁ ବାଣ୍ଟିବାବେଳେ ଯେଉଁ ବାୟୋମେଟ୍ରିକ ବାଇ-ପୋସ ମେସିନ ବ୍ୟବହାର କରାଯିବାର ନିୟମ ଅଛି, ତାହା ବର୍ତ୍ତମାନ କୋରୋନା ମହାମାରୀର ପ୍ରବଳ ପ୍ରାଦୁର୍ଭାବ ସମୟରେ ଆତ୍ମଘାତି ହେବ । ଆଖିର ଫଟୋ ନେବା ସହିତ ଆଙ୍ଗୁଳି ଟିପ ନେବା ଦ୍ୱାରା କୋରୋନା ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି ।
ରାଜ୍ୟରେ ଅନେକ କଣ୍ଟ୍ରୋଲ ଦୋକାନୀ କୋରୋନାରେ ମୃତ୍ୟୁବରଣ କରିସାରିଲେଣି । ବର୍ତ୍ତମାନ ଦ୍ୱିତୀୟ କୋରୋନା ଲହରୀ ସମୟରେ ଗ୍ରାମାଞ୍ଚଳରେ ଏହା ବେଶୀ ବ୍ୟାପୁଛି । ବାୟୋମେଟ୍ରିକ ମେସିନ ବ୍ୟବହାର ହେଲେ କୋରୋନା ସଂକ୍ରମଣ ଆହୁରି ବଢିବ । ତେଣୁ ସରକାର ଏହାକୁ ବନ୍ଦ କରିବାକୁ କଂଗ୍ରେସ ପକ୍ଷରୁ ରାଜ୍ୟ ମୁଖପାତ୍ର ସୁଦର୍ଶନ ଦାସ ଦାବି କରିଛନ୍ତି । ଏ ନେଇ ସେ ଟ୍ୱିଟ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ଓଡିଶା ସରକାରୀ ରିଟେଲ ବିକ୍ରେତା ୱେଲଫେୟାର ସମିତି ପକ୍ଷରୁ ଏହି ସମସ୍ୟା ପ୍ରତି ବାରମ୍ବାର ଦୃଷ୍ଟି ଆକର୍ଷଣ ପୂର୍ବକ ବିଭାଗୀୟ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଛି । ସେମାନଙ୍କର ଦାବି ଯଥାର୍ଥ । ରାଜ୍ୟ ସରକାର ତୁରନ୍ତ ବାୟୋମେଟ୍ରିକ ଯନ୍ତ୍ର ବନ୍ଦ କରି ସେମାନଙ୍କ ତଥା ଖାଉଟିମାନଙ୍କର ସୁରକ୍ଷା ଦିଅନ୍ତୁ ବୋଲି ଦାବି ହୋଇଛି ।
ଏହାସହ ବାୟୋମେଟ୍ରିକ ଯନ୍ତ୍ର ବ୍ୟବହାର ଦ୍ୱାରା ବିଦେଶ ଫେରନ୍ତା ପ୍ରବାସୀମାନେ ମଧ୍ୟ ଅନେକ ଚାଉଳ ପାଇବାରୁ ବଞ୍ଚିତ ହେବେ । ଏ ସମସ୍ତ କଥାକୁ ବିଚାରକୁ ନେଇ ସରକାର ତୁରନ୍ତ ନିଷ୍ପତ୍ତି ନେଇ ଚାଉଳ ବାଣ୍ଟିବା ସମୟରେ ବାୟୋମେଟ୍ରିକ ବ୍ୟବହାରକୁ ପ୍ରତ୍ୟାହାର କରନ୍ତୁ ବୋଲି କଂଗ୍ରେସ ମୁଖପାତ୍ର ଓ ସୋସିଆଲ ମିଡ଼ିଆ ବିଭାଗର ଅଧ୍ୟକ୍ଷ ଅଭିଷେକ ମହାନନ୍ଦା ଦାବି କରିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ