ଭୁବନେଶ୍ବର: ରାଜ୍ୟରେ କ୍ରୀଡ଼ା କ୍ଷେତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛି । ବିଶେଷ କରି ହକିରେ କ୍ରୀଡ଼ାବିତ୍ଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି । ଏହାକୁ ନେଇ ଉତ୍ସାହିତ ରହିଛନ୍ତି ରାଜ୍ୟ ସରକାର । ତେଣୁ ରାଜ୍ୟରେ କ୍ରୀଡ଼ାଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଦିଗରେ ଅଗ୍ରସର ହେଉଛନ୍ତି ରାଜ୍ୟ ସରକାର । ଆସୋଚାମ୍ର ଏକ ଭିଡିଓ କନ୍ଫରେସିଂ ସମ୍ମିଳନୀରେ ଏହା କହିଛନ୍ତି ଶିଳ୍ପ, ଶକ୍ତି, ଏମ୍ଏସ୍ଏମ୍ଇ, ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟ ଶଙ୍କର ମିଶ୍ର ।
ଏଥିପାଇଁ ରାଜ୍ୟ ପକ୍ଷରୁ କ୍ରୀଡ଼ା ଶିଳ୍ପ ଉଦ୍ୟୋଗୀଙ୍କୁ ଆମନ୍ତ୍ରଣ କରାଯାଉଛି । ଆଜି(ବୁଧବାର) ଆୟୋଜିତ ‘ବୈଶିକ ମୂଲ୍ୟ ଶୃଙ୍ଖଳ ପାଇଁ ଓଡ଼ିଶା ରାଜ୍ୟ ଦକ୍ଷତା ସୃଷ୍ଟି’ ଶୀର୍ଷକ ଆଲୋଚନା ଚକ୍ରରେ ଯୋଗଦେଇ ମନ୍ତ୍ରୀ ଓଡ଼ିଶା ନିବେଶକମାନଙ୍କ ପାଇଁ ଏକ ପ୍ରକୃଷ୍ଟ ରାଜ୍ୟ ବୋଲି କହିଛନ୍ତି । ରାଜ୍ୟରେ ଉତ୍ପାଦନର ୟୁନିଟ୍ ମୂଲ୍ୟ ଦେଶରେ ସବୁଠୁ କମ୍ ରହିଛି । ଶିଳ୍ପକୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଉପଲବ୍ଧ କରାଇବା ସହ ରିହାତି ପ୍ରଦାନ ଯାଉଛି । ରାଜ୍ୟରେ ଅନେକ ପର୍ଯ୍ୟଟନ ବିଭବ ରହିଛି । ଲଣ୍ଡନ କିମ୍ବା ସ୍ବିଜରଲାଣ୍ଡ ଯିବା ପରିବର୍ତ୍ତେ ପର୍ଯ୍ୟଟକ କଳାହାଣ୍ଡି ଆସି ନୈସର୍ଗିକ ଶୋଭା ସମ୍ଭାର, ସ୍ଥାନୀୟ ଜନଜାତିଙ୍କ ନିଆରା ଜୀବନଶୈଳୀ ଏବଂ ସେମାନଙ୍କ ଜୀବନଧାରା ବିଷୟରେ ଅବଗତ ହେବାକୁ ଆହ୍ୱାନ କରିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟ ଶଙ୍କର ମିଶ୍ର ।
ପାରମ୍ପରିକ ଭାବେ ଓଡ଼ିଶା ଖଣିଖାଦାନ ଭରା ଏକ ରାଜ୍ୟ ଭାବେ ଜଣାଶୁଣା । ମାନବଜାତିର ବଞ୍ଚିବା ପାଇଁ ଆବଶ୍ୟକ ଥିବା ସମସ୍ତ ଉପକରଣର କଞ୍ଚାମାଲ ରାଜ୍ୟରେ ଉପଲବ୍ଧ । ତାଛଡ଼ା ବିଶ୍ୱର ଯେକୌଣସି କାରଖାନା ପାଇଁ ଦରକାର ପଡ଼ୁଥିବା ଖଣିଜ ଓଡ଼ିଶାରେ ମିଳୁଛି । ଓଡ଼ିଶାର ଅବସ୍ଥିତି, ବିଶେଷ ଭାବେ ୪୮୦ କିଲୋମିଟର ଦୈର୍ଘ୍ୟ ଉପକୂଳ ଏବଂ ବହୁସଂଖ୍ୟକ ବନ୍ଦର ବୈଶ୍ୱିକ ମୂଲ୍ୟ ଶୃଙ୍ଖଳକୁ ମଝବୁତ୍ କରିବାରେ ଉପଯୋଗୀ ମନେହୁଏ । ଏହା ବ୍ୟତୀତ ରାଜ୍ୟରେ ପର୍ଯ୍ୟାପ୍ତ କୁଶଳୀ ମାନବସମ୍ବଳ ରହିଛି । ଯାହା ଦେଶର ଶିଳ୍ପ କ୍ଷେତ୍ରକୁ ସମୃଦ୍ଧ କରିବାରେ ବିଶେଷ ଯୋଗଦାନ ଦେଇପାରିଛି । ରାଜ୍ୟ ସରକାରଙ୍କ ନିର୍ମଳ ଶିଳ୍ପନୀତି, ସିଙ୍ଗଲ ଓି୍ୱନ୍ଡୋ ସିଷ୍ଟମ୍, ବ୍ୟବସାୟ ନିମନ୍ତେ ସର୍ବନିମ୍ନ ମୂଲ୍ୟ ଆଦି ସୁବିଧା ଶିଳ୍ପଜଗତକୁ ଉତ୍ସାହିତ କରିପାରୁଥିବା କଥା କହିଛନ୍ତି ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ।
ଆଲୋଚନା ଚକ୍ରରେ ଆସୋଚାମ୍ର ଅଧ୍ୟକ୍ଷ ସୋହମ୍ ମିଶ୍ର, ଆସୋଚାମ୍ର ସହ-ଅଧ୍ୟକ୍ଷ ଦୀପକ ଗୁଲାଟି, ଟାଟା ପାୱାର କୋ., କଳିଙ୍ଗ ନଗର ପ୍ରକଳ୍ପ ମୁଖ୍ୟ ଭକ୍ତି ରାଜ୍, ଜିନ୍ଦଲ ଷ୍ଟିଲ୍ର ନର୍ବାହୀ ଉପସଭାପତି ବିଭୁ ପ୍ରସାଦ ମିଶ୍ର, ଫୋୟେନିକ୍ସ ଇଣ୍ଡିଆର ନିର୍ଦ୍ଦେଶକ ତଥା ଆସୋଚାମ୍ର ସଦସ୍ୟ ଶ୍ରୀକାନ୍ତ ବାଡ଼ିଗା, ଆସୋଚାମ୍, ଜାତୀୟ କ୍ରୀଡ଼ା ଓ ଫିଟ୍ନେସ୍ ଶିଳ୍ପ ପରିଷଦର ଅଧ୍ୟକ୍ଷ ରାଜେଶ ଖରବାନ୍ଦା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ